Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି କୋଲକାତା-ଗୁଜରାଟ ଓ ଦିଲ୍ଲୀ-ହାଇଦ୍ରାବାଦ ମୁକାବିଲା

କୋଲକାତା : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ରେ ଆଜି ଡବଲ୍‌ ହେଡର ମ୍ୟାଚ । ଶନିବାର ଖେଳାଯିବ ଦୁଇଟି ହାଇ-ଭୋଲଟେଜ୍ ମ୍ୟାଚ । ପ୍ରଥମ ମ୍ୟାଚ୍ ସାଢେ ୩ଟାରେ କୋଲକାତା ନାଇଟ୍ ରାଇଡର ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ ସାଢେ ୭ଟାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଜିତିଥିବା ଗୁଜରାଟ ଟାଇଟନ୍ସ ବିଜୟ ଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ମାତ୍ର ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ ଖେଳାଯାଉଥିବାରୁ ଦଳର ଚିନ୍ତା ବଢି ଯାଇଛି । ଗତ ୯ ତାରିଖରେ ଉଭୟ ଦଳ ପରସ୍ପରକୁ ଏଠାରେ ଭେଟିଥିଲେ । ନାଇଟ୍‌ ରାଇଡର୍ସ ୩ୱିକେଟ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ରିଙ୍କୁ ସିଂହଙ୍କ ପ୍ରଦର୍ଶନ ଅଦ୍ଭୁତ ଓ ଅବିଶ୍ୱସନୀୟ ରହିଥିଲା । ମ୍ୟାଚ୍‌ର ଶେଷ ୫ଟି ବଲ୍‌ରେ ୫ଟି ଛକା ମାରି ରିଙ୍କୁ ଟାଇଟନ୍ସ ହାତରୁ ବିଜୟ ଛଡ଼ାଇ ନେଇଥିଲେ । ସେପଟେ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଉଥିବାରୁ କୋଲକାତା ସହଜ ବିଜୟ ଲକ୍ଷ୍ୟ ରଖିଛି । ନାଇଟ୍ ରାଇଡର୍ସର ସ୍ପିନ୍ ବୋଲିଂ ଗୁଜରାଟ ପାଇଁ ଘାତକ ହୋଇପାରେ । ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଜିତିଥିବା ବେଳେ କୋଲକାତା ମାତ୍ର ୩ଟିରେ ବିଜୟ ହୋଇଛି । ଆଜିର ମ୍ୟାଚ ବିଜୟ ପାଇଁ ସ୍ବତନ୍ତ୍ର ରଣନୀତି କରିଛି ।

ସେପଟେ ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଟକ୍କର। ଅରୁଣ ଜେଟଲି ଷ୍ଟାଡିୟନ ଦିଲ୍ଲୀରେ ଖେଳାଯିବ ଏହି ମ୍ୟାଚ । ଉଭୟ ଦଳ ମାତ୍ର ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ ଆଜି ମ୍ୟାଚ ଜିତିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଛି ।

Exit mobile version