Site icon ଆଜିକାଲି

ଆଇପିଏଲ-୨୦୨୩ : ହାଇଦ୍ରାବାଦକୁ ୭ ଓ୍ବିକେଟରେ ହରାଇଲା ଲକ୍ଷ୍ନୌ

ହାଇଦ୍ରାବାଦ : ହାଇଦ୍ରାବାଦଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୫୮ତମ ମ୍ୟାଚରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ପ୍ରେରକ ମଙ୍କଡ ଏବଂ ନିକୋଲାସ ପୂରନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏଠାରେ ଖେଳା ଯାଇଥିବା ଆଇପିଏଲର ୫୮ତମ ମ୍ୟାଚ୍‌ରେ ଲକ୍ଷ୍ନୌ ବିଜୟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚିଛି । ବିଶେଷ କରି ଶେଷ ଆଡ଼କୁ ପୂରନ ୧୩ ବଲ୍‌ରୁ ୪୪ ରନ କରି ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ହେନରିଚ୍ କ୍ଲାସେନଙ୍କ ୪୭ ରନ ଏବଂ ଅବଦୁଲ ସାମଦଙ୍କ ଅପରାଜିତ ଦ୍ରୁତ ୩୭ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୨ ରନ କରିଥିଲା। ଅନମୋଲପ୍ରୀତ ସିଂ ୩୬ ରନର ଉପଯୋଗୀ ଇନିଂସ ଖେଳିଥିବା ବେଳେ ଆଡନ ମାରକ୍ରମ ୨୮ ଏବଂ ରାହୁଲ ତ୍ରିପାଠୀ ୨୦ ରନ କରିଥିଲେ। ଲକ୍ଷ୍ନୌ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା ୨ଟି ଓ୍ବିକେଟ ନେଇଥିବାବେଳେ ଅମିତ ମିଶ୍ରା, ଅଭେସ ଖାଁ, ୟୁଦ୍ଧବୀର ସିଂ ଓ ୟସ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଜବାବରେ ଲକ୍ଷ୍ନୌ ଦଳ ପ୍ରେରକ ମଙ୍କଡଙ୍କ ଅପରାଜିତ ୬୪ ରନ ଏବଂ ପୂରନଙ୍କ ୪୪ ରନ ବଳରେ ୧୯.୨ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। କ୍ଵିଣ୍ଟନ ଡିକକ୍‌ ୨୯ ରନର ଛୋଟ ଇନିଂସ ଖେଳିଛନ୍ତି। ୧୨ଶ ମ୍ୟାଚ୍‌ରୁ ଷଷ୍ଠ ବିଜୟ ସହ ଲକ୍ଷ୍ନୌ ପଏଣ୍ଟ ତାଲିକାର ଚତୁର୍ଥ ଉଠିଥିବା ବେଳେ ହାଇଦ୍ରାବାଦ ସମାନ ମ୍ୟାଚ୍‌ରୁ ସପ୍ତମ ପରାଜୟ ଭୋଗିଛି।

Exit mobile version