Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ମୁହାଁମୁହିଁ ହେବେ ମୁମ୍ବାଇ-ଲକ୍ଷ୍ନୌ

ଲକ୍ଷ୍ମୌ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ମଙ୍ଗଳବାର ସନ୍ଧ୍ୟାରେ ଏକନା ଷ୍ଟାଡିୟମରେ ଖେଳାଯିବ ୬୩ତମ ମ୍ୟାଚ । ଏଥିରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଓ ୫ଥରର ଚମ୍ପିଆନ୍ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଶିଖର ଛୁଇଁଛି । ମୁମ୍ବାଇ ପ୍ଲେ-ଅଫ୍‌ ଦୌଡରେ ରହିଥିବା ବେଳେ ସୁପର ଜାଏଣ୍ଟ୍‌ସ ପାଇଁ ଶ୍ରେଷ୍ଠ ୨ ସ୍ଥାନରେ ରହିବାକୁ ଚେଷ୍ଟା କରିବ ।

ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ୧୨ଟି ମ୍ୟାଚ୍‌ରୁ ୧୪ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି । ସୁପର ଜାଏଣ୍ଟ୍‌ସ ୧୨ଟି ମ୍ୟାଚରୁ ୧୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ଏହି ମ୍ୟାଚରେ ବିଜୟୀ ହେଲେ ରୋହିତ୍-ଆଣ୍ଡ-କୋ ଚେନ୍ନାଇ ସୁପରକିଙ୍ଗ୍‌ସକୁ ପଛରେ ପକାଇ ତୃତୀୟରେ ପହଞ୍ଚିବ । ଲକ୍ଷ୍ନୌ ଜିତିଲେ ସୁପରକିଙ୍ଗ୍‌ସ ସହ ସମାନ ପଏଣ୍ଟରେ ରହିବ । ବଡ଼ ବ୍ୟବଧାନରେ ଜିତିଲେ ରନ୍‌ ରେଟ୍‌ ବୃଦ୍ଧି ହେବ ।

ଚଳିଚ ସିଜନରେ ଉଭୟ ଦଳ ପରସ୍ପରକୁ ପ୍ରଥମ କରି ଭେଟିବାକୁ ଯାଉଛନ୍ତି । ଗତ ବର୍ଷ ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ୍‌ ଖେଳାଯାଇଥିଲା ଓ ଉଭୟ ମ୍ୟାଚ୍‌ରେ ସୁପରଜାଏଣ୍ଟ୍‌ସ ଜିତିଥିଲା । ଏଥର ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

କେ ଏଲ ରାହୁଲ ଆହତ ହୋଇ ବାଦ ପଡ଼ିଥିଲେ ହେଁ ତାଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିନାହିଁ । କ୍ୱିଣ୍ଟନ ଡି କକ୍‌ ତାଙ୍କ ସ୍ଥାନ ସମ୍ଭାଳି ନେଇଛନ୍ତି । ଓପନିଂ ବିଭାଗ ପୂର୍ବପେକ୍ଷା ସୁଦୃଢ ହୋଇଛି । ମଧ୍ୟ କ୍ରମରେ ନିକୋଲାସ ପୂରନ ଓ ମାର୍କସ ଷ୍ଟଇନିସ ଆତଙ୍କ ସୃଷ୍ଟି କରିଛନ୍ତି ।

ସେପଟେ ଫର୍ମ ଫେରି ପାଇଥିବା ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଲକ୍ଷ୍ନୌର ସ୍କୋୟାର ବାଉଣ୍ଡାରୀ ବଡ଼ ରହିଥିବାରୁ ସୂର୍ଯ୍ୟକୁମାରଙ୍କ ସଟ୍‌ ଚୟନରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ସେହିପରି ରବି ବିଷ୍ଣୋଇଙ୍କ ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ବ୍ୟାଟ୍‌ ସର୍ବଦା ଚୁପ୍‌ ରହିଛି । ସୂର୍ଯ୍ୟକୁମାରଙ୍କୁ ସେ ୩ଥର ଆଉଟ୍‌ କରିସାରିଛନ୍ତି ।

ରୋହିତ ଶର୍ମା ଓ ଅମିତ ମିଶ୍ରାଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ମିଶ୍ରାଙ୍କ ବିପକ୍ଷରେ ରୋହିତ ମୋଟ୍‌ ୮୭ ରନ୍‌ ସଂଗ୍ରହ କରିଛନ୍ତି ଓ ୭ଥର ଆଉଟ୍‌ ହୋଇଛନ୍ତି । ସେହିପରି ଇଶାନ କିଷନଙ୍କୁ ମିଶ୍ରା ୩ଥର ଆଉଟ୍‌ କରିସାରିଛନ୍ତି ।

Exit mobile version