Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ମୁହାଁମୁହିଁ ହେବେ ପଞ୍ଜାବ-ଦିଲ୍ଲୀ

ଧର୍ମଶାଳା : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ବୁଧବାର ଖେଳାଯିବ ୬୪ତମ ଲିଗ୍‌ ମୁକାବିଲା । ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ୍‌ ଘରୋଇ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ୧୨ଟି ମ୍ୟାଚ୍‌ ଖେଳି ୧୨ ପଏଣ୍ଟ ହାସଲ କରିଥିବା ପଞ୍ଜାବ ପାଇଁ ଶେଷ ୨ଟି ମ୍ୟାଚ୍‌ କର ବା ମାର ପରିସ୍ଥିତି । ଦୁଇଟି ମ୍ୟାଚ ଜିତିଲେ ପ୍ଲେ-ଅଫରେ ପ୍ରବେଶ କରିବ ଦଳ ।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ପ୍ଲେ-ଅଫ୍‌ ଦୌଡରୁ ବାଦ ପଡ଼ିସାରିଛି । ତେଣୁ ଏହି ମ୍ୟାଚ୍‌ର ଫଳାଫଳ କ୍ୟାପିଟାଲ୍ସ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ମାତ୍ର ପଞ୍ଜାବ କିଙ୍ଗ୍‌ସକୁ ଅଟକାଇବା ପାଇଁ ଦଳ ଜୋରଦାର ପ୍ରୟାସ କରିବ । ଗତ ୧୩ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା । ପଞ୍ଜାବ କିଙ୍ଗ୍‌ସ ୩୧ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ଏଥର କ୍ୟାପିଟାଲ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍‌ରୁ କ୍ୟାପିଟାଲ୍ସ ୪ଟି ମ୍ୟାଚ୍‌ ଜିତିଛି ।

ଧର୍ମଶାଳାରେ ଏହି ମ୍ୟାଚ ଖେଳାଯାଉଥିବାରୁ ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଇବ । ଉଭୟ ଦଳରେ ଦକ୍ଷ ପେସ୍‌ ବୋଲର ରହିଛନ୍ତି । ମାତ୍ର କାଗିସୋ ରାବାଡା ଓ ସାମ କରାନଙ୍କ ଫର୍ମକୁ ନେଇ ପଞ୍ଜାବ କିଙ୍ଗ୍‌ସ ସାମାନ୍ୟ ଚିନ୍ତାରେ ରହିଛି । ଅନ୍ୟପଟରେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବୋଲର ଆନରିଚ ନର୍ଜ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି । ତାଙ୍କ ଅନୁପସ୍ଥିତିରେ ଈଶାନ୍ତ ଶର୍ମା ଚମତ୍କାର ବୋଲିଂ କରୁଛନ୍ତି । ପଞ୍ଜାବ କିଙ୍ଗ୍‌ସକୁ ହରାଇବାକୁ ହେଲେ କ୍ୟାପିଟାଲ୍ସ ଦଳକୁ ପ୍ରଥମେ ବ୍ୟାଟିଂ ବିଭାଗ ସୁଦୃଢ କରିବାକୁ ହେବ । ଡେଭିଡ ୱାର୍ଣ୍ଣର ଓ ଫିଲ ସଲ୍ଟଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଫର୍ମରେ ନାହାନ୍ତି । ତେଣୁ ଅଭିଯାନ ଶେଷ କରିବା ପୂର୍ବରୁ କ୍ୟାପିଟାଲ୍ସ ସମ୍ମାନ ବଞ୍ଚାଇବାକୁ ଜୋରଦାର ପ୍ରୟାସ କରିବ ।

Exit mobile version