Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଶନିବାର ୬୦ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଘରୋଇ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ମ୍ୟାଚ ରାଜସ୍ଥାନ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପାରେ କାରଣ ଏହି ବିଜୟ ସହ ପଏଣ୍ଟ ତାଲିକାର ତୃତୀୟକୁ ଉଠିବାକୁ ଦଳ ପାଇଁ ସୁଯୋଗ ରହିଛି । ସେପଟେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ବିଜୟ ମଧ୍ୟ ଜରୁରୀ ହୋଇପଡ଼ିଛି । ରବିବାର ମ୍ୟାଚ୍‌ ଜିତିଲେ ମଧ୍ୟ ରୟାଲ୍‌ ଚ୍ୟାଲେଞ୍ଜର୍ସ ପଏଣ୍ଟ ତାଲିକାର ପ୍ରଥମ ୪ଜଣଙ୍କ ମଧ୍ୟରେ ପହଞ୍ଚି ପାରିବ ନାହିଁ । ବର୍ତ୍ତମାନ ଆରସିବି ଦଳକୁ ଶେଷ ୩ଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ ।

ଉଭୟ ଦଳ ଗତ ୨୩ ତାରିଖରେ ପରସ୍ପରକୁ ଭେଟିଥିଲେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ୭ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ଏଥର ରାଜସ୍ଥାନ ରୟାଲ୍ସ ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି । ପୂର୍ବ ରେକର୍ଡକୁ ଦେଖିଲେ ରୟାଲ୍‌ ଚ୍ୟାଲେଞ୍ଜର୍ସର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ମୋଟ୍‌ ୨୯ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୪ଟି ମ୍ୟାଚ୍‌ ଜିତିଥିବାବେଳେ ରାଜସ୍ଥାନ ରୟାଲ୍ସ ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ୩ଟି ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା ।

ଉଭୟ ଦଳର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ । ସବୁ ଗ୍ରାଉଣ୍ଡ୍‌ ଭଳି ଆସନ୍ତାକାଲି ମଧ୍ୟ ସୱାଇ ମାନସିଂ ଷ୍ଟାଡିୟମ୍‌ରେ ବିରାଟ କୋହଲିଙ୍କ ଫ୍ୟାନ୍‌ ଚିତ୍କାର କରିବା ନିଶ୍ଚିତ । ମାତ୍ର ନୂଆ ତାରକା ଭାବେ ଉଭା ହୋଇଥିବା ଯଶସ୍ୱୀ ଜୈସ୍ୱାଲ ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ଆତଙ୍କ ସୃଷ୍ଟି କରିବେ । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମୁକାବିଲାରେ ୧୩ଟି ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ଜୈସ୍ୱାଲ ମାତ୍ର ୨ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ତାଙ୍କ ବ୍ୟାଟ୍‌ରୁ ଆଉ ଏକ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ । ରବିବାର ମହମ୍ମଦ ସିରାଜ ଓ ଜୈସ୍ୱାଲଙ୍କ ମଧ୍ୟରେ ଏକ ଲଢେଇ ଦେଖିବାକୁ ମିଳିବ।

ରାଜସ୍ଥାନ ରୟାଲ୍ସ ସମ୍ଭାବ୍ୟ ଦଳ:- ଯଶସ୍ୱୀ ଜୈସ୍ୱାଲ୍‌, ଜୋସ ବଟଲର, ସଞ୍ଜୁ ସାମସନ(ଅଧିନାୟକ), ଜୋ ରୁଟ୍‌, ଦେବଦତ୍ତ ପାଡ଼ିକଲ, ସିମରନ ହେତମାୟର, ଧ୍ରୁବ ଜୁରେଲ, ଆର ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ସନ୍ଦିପ ଶର୍ମା, ୟୁଝବେନ୍ଦ୍ର ଚହଲ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ସମ୍ଭାବ୍ୟ ଦଳ:- ବିରାଟ କୋହଲି, ଫାଫ ଡୁ ପ୍ଲେସି(ଅଧିନାୟକ), ଗ୍ଲେନ ମ୍ୟାକ୍ସୱେଲ୍‌, ମହିପାଲ୍‌ ଲୋମରର, ଦିନେଶ କାର୍ତ୍ତିକ, ଅନୁଜ ରାୱତ, କେଦାର ଯାଦବ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ବିଜୟ କୁମାର ବିଶାଖ, ଜୋସ ହାଜେଲଉଡ୍‌ ।

Exit mobile version