Site icon ଆଜିକାଲି

ଆଇପିଏଲ-୨୦୨୩ : ସନରାଇଜର୍ସ ହାଇଦ୍ରାବାଦ୍‌କୁ ଭେଟିବ ରାଜସ୍ଥାନ ରୟାଲ୍ସ

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୩ର ରବିବାର ତୃତୀୟ ଦିନରେ ଡବଲ୍‌ ହେଡର ମ୍ୟାଚ ଖେଳାଯିବ। ସୁପର ସଣ୍ଡେରେ ଆଇପିଏଲର ଚତୁର୍ଥ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍‌ସ ଏବଂ ପଞ୍ଚମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଆଜିର ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ରବିବାର ଅପରାହ୍ନ ୩ଟା ୩୦ ମିନିଟ୍‌ ସମୟରେ ହାଇଦ୍ରାବାଦ୍‌ ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ପୂର୍ବ ସିଜିନ୍‌ର ରନର୍ସ ଅପ୍ ରାଜସ୍ଥାନ ରୟାଲ୍ସ । ହାଇଦ୍ରାବାଦ୍‌ର ଅଧିନାୟକ ଆଡେନ୍‌ ମାରକ୍ରମ୍‌ ଭାରତରେ ପହଞ୍ଚିନାହାନ୍ତି । ଯାହାଫଳରେ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର୍‌ଙ୍କୁ ଅଧିନାୟକ ଦିଆଯାଇଛି । ଭୁବନେଶ୍ବରଙ୍କ ସହ ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ୍‌ଙ୍କ ଉପରେ ଆରମ୍ଭରୁ ୱିକେଟ୍‌ ବାହାର କରିବା ଦାୟିତ୍ବ ରହିବ। ହାଇଦ୍ରାବାଦର ମଜବୁତ୍‌ ବ୍ୟାଟିଂ ବିଷୟରେ ମଧ୍ୟ ସମସ୍ତଙ୍କୁ ଜଣା। ‌ତଥାପି ଦଳ ଗତ ଦୁଇ ଋତୁରେ ଉପରକୁ ଉଠିବା ପାଇଁ ସଂଘର୍ଷ କରୁଛି। ୨୦୨୧ରେ ଅଷ୍ଟମ ସ୍ଥାନରେ ରହିଥିବା ସନରାଇଜର୍ସ ପାଇଁ‌ ଡେଭିଡ୍‌ ୱାର୍ଣ୍ଣର ଓ ୨୦୨୨ରେ କେନ୍‌ ୱିଲିୟମସନ୍‌ ନେତୃତ୍ବ ନେଇଥିଲେ। ଏହାସତ୍ତ୍ବେ ଦଳର ଭାଗ୍ୟ ପରିବର୍ତ୍ତନ ହୋଇପାରିନଥିଲା।

ସେହିପରି ରାଜସ୍ଥାନ ଟିମ୍‌ ବେଶ୍‌ ଶକ୍ତିଶାଳୀ ମନେ ହେଉଛି । ଖାସ୍‌ କରି ଜୋ ରୁଟ୍‌ଙ୍କ ଉପସ୍ଥିତି ଦଳର ଶକ୍ତି ବୃଦ୍ଧି କରିଛି । ଏହି ଦଳର ଅଧିନାୟକ ଦାୟିତ୍ୱ ସଞ୍ଜୁ ସାମ୍‌ସନ୍‌ଙ୍କ ହାତରେ ରହିଛି । ଏହା ବ୍ୟତୀତ ଜୋସ୍‌ ବଟଲର, ସିମରନ୍‌ ହେତମେୟର, ଯଶସ୍ୱୀ ଜୈସ୍ୱାଲ୍‌, ପରି ଦମ୍‌ଦାର୍‌ ଖେଳାଳି ଅଛନ୍ତି । କୌଣସି ବି ପରିସ୍ଥିତିରେ ମ୍ୟାଚ୍‌ ରୂପରେଖ ପରିବର୍ତ୍ତନ କରିବାରେ ଏହି ସବୁ ଖେଳାଳି ମାହିର । ସଞ୍ଜୁ ସାମସନ୍‌ଙ୍କ ନେତୃତ୍ବାଧୀନ ଏହି ଦଳ ଗତ ବର୍ଷ ଉଭୟ ଅରେଞ୍ଜ କ୍ୟାପ୍‌ ଓ ପର୍ପଲ କ୍ୟାପ୍‌ ଉପରେ କବ୍‌ଜା କରିଥିଲା। ଜୋସ୍‌ ବଟଲର୍‌ ସର୍ବାଧିକ ରନ୍‌ ସଂଗ୍ରହକାରୀ ଓ ୟୁଝବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଥିଲେ। ଏହାବାଦ୍‌ ଦଳରେ ପ୍ରଦର୍ଶନକାରୀଙ୍କ ଅଭାବ ନାହିଁ। ବିଗତ ବର୍ଷମାନଙ୍କରେ ବି ଏହି ଦଳ କେବେ ବି ଉଚ୍ଚସ୍ତରକୁ ନଯାଇପାରିଥିଲେ ମଧ୍ୟ କଦାପି ସମାଲୋଚିତ ହୋଇନାହିଁ। ଚହଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଅଷ୍ଟ୍ରେଲିଆର ଆଦାମ ଜାମ୍ପା ଏହାର ସ୍ପିନ ଆକ୍ରମଣକୁ ଅଧିକ ମଜବୁତ୍‌ କରିଛନ୍ତି।

ସନରାଇଜର୍ସ ହାଇଦ୍ରାବାଦ : ଭୁବନେଶ୍ୱର କୁମାର (ଅଧିନାୟକ), ମୟଙ୍କ ଅଗ୍ରୱାଲ୍‌, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ହ୍ୟାରୀ ବ୍ରୁକ, ଗ୍ଲେନ ଫିଲିପ୍ସ, ଅବଦୁଲ ସମଦ, ୱାସିଂଟନ ସୁନ୍ଦର, ଅକିଲ ହୋସେନ, ଟି ନଟରାଜନ, ଉମ୍ରାନ ମଲିକ ।

ରାଜସ୍ଥାନ ରୟାଲ୍ସ : ଯଶସ୍ୱୀ ଜୈସ୍ୱାଲ, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ), ସିମରନ ହେତମେୟର, ଜାସନ ହୋଲ୍ଡର/ଜୋ ରୁଟ୍‌, ରିୟାନ ପରାଗ, ଆର ଅଶ୍ୱିନ, ୟୁଝବେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ, ନବଦୀପ ସାଇନି, କୁଲଦୀପ ସେନ ।

Exit mobile version