Site icon ଆଜିକାଲି

ଆଇପିଏଲ-୨୦୨୩ : ଟସ୍‌ ଜିତି ଆର୍‌ସିବିର ବୋଲିଂ ନିଷ୍ପତ୍ତି, ବାଙ୍ଗାଲୋର ପାଇଁ ବିଜୟ ଜରୁରୀ

ହାଇଦ୍ରାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଗୁରୁବାର ଖେଳାଯିବ ୬୫ତମ ଲିଗ୍‌ ମୁକାବିଲା ।ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ । ପ୍ଲେ-ଅଫ ଦୌଡରୁ ସନରାଇଜର୍ସ ବାଦ ପଡ଼ିସାରିଛି । ତେଣୁ ଏହି ଘରୋଇ ଦଳ ପାଇଁ କୌଣସି ଗୁରୁତ୍ୱ ରଖୁନାହିଁ । ମାତ୍ର ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ବିଜୟ ଜରୁରି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ରୟାଲ ଚ୍ୟାଲେଞ୍ଜର୍ସକୁ ଶେଷ ୨ଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ । ଫାଫ ଡୁ ପ୍ଲେସିସ ନେତୃତ୍ୱାଧୀନ ବାଙ୍ଗାଲୋର ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଆଡେନ ମାର୍କ୍ରାମଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ।

ଗୁରୁବାର ଘରୋଇ ସମର୍ଥକଙ୍କ ଗହଣରେ ଖେଳିବାକୁ ଯାଉଥିବାରୁ ସନରାଇଜର୍ସର ପଲା ଭାରି ରହିବା ସ୍ୱାଭାବିକ । ପୂର୍ବ ରେକର୍ଡ ମଧ୍ୟ ସନରାଇଜର୍ସ ପକ୍ଷରେ ରହିଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୨୨ ଥର ଭେଟି ସାରିଛନ୍ତି । ଏଥିରୁ ସନରାଇଜର୍ସ ୧୨ଟି ମ୍ୟାଚ୍‌ ଜିତିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ୯ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ।

ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ ଓ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ । ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଚଳିତ ବର୍ଷ ସନରାଇଜର୍ସର ପ୍ରଦର୍ଶନ ନିମ୍ନ ମାନର ରହିଛି । ଅନେକ ମ୍ୟାଚ୍‌ରେ ସନରାଇଜର୍ସ ବିଜୟ ହାତଛଡ଼ା କରିଛି । ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ୩ ମହାରଥୀ ବିରାଟ କୋହଲି, ଫାଫ ଡୁ ପ୍ଲେସିସ୍‌ ଓ ଗ୍ଲେନ ମ୍ୟାକ୍ସୱେଲ୍‌ ଚମତ୍କାର ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରୁଛି । ତେଣୁ ସନରାଇଜର୍ସ ବିପକ୍ଷରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଆଧିପତ୍ୟ ଜାହିର କରିବାର କ୍ଷମତା ରଖିଛି । ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୧୧୨ ରନ୍‌ରେ ହରାଇବା ପରେ ଦଳର ମନୋବଳ ଦୃଢ ରହିଛି ।

ଗୁରୁବାର ରୟାଲ୍‌ ଚ୍ୟାଲେଞ୍ଜର୍ସର ବ୍ୟାଟର ଓ ସନରାଇଜର୍ସର ପେସ୍‌ ବୋଲରଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ । ଭୁବନେଶ୍ୱର କୁମାର, ଟି ନଟରାଜନ ଓ ମାର୍କୋ ଜାନସେନ ଘାତକ ସାବ୍ୟସ୍ତ ହୋଇପାରନ୍ତି । ହାଇଦ୍ରାବାଦର ଉତ୍ତପ୍ତ ଜଳବାୟୁ ଚିନ୍ତାଜନକ ହେବ । ତଥାପି ରାତ୍ରିରେ କାକର ପଡ଼ିବା ଆଶା କରାଯାଉଛି । ତେଣୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ

Exit mobile version