Site icon ଆଜିକାଲି

ଆଇପିଏଲ-୨୦୨୩ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୩ର ରବିବାର ତୃତୀୟ ଦିନରେ ଡବଲ୍‌ ହେଡର ମ୍ୟାଚ ଖେଳାଯିବ। ସୁପର ସଣ୍ଡେରେ ଆଇପିଏଲର ଚତୁର୍ଥ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍‌ସ ଏବଂ ପଞ୍ଚମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଆଜିର ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ରବିବାର ସନ୍ଧ୍ୟା ୭ଟା ୩୦ମିନିଟ୍‌ରେ ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ରୟାଲ ଚ୍ୟାଲେଞ୍ଜର୍ସର ହୋମ୍‌ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯିବ । ୩ ବର୍ଷ ପରେ ଏହି ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳିବାକୁ ଯାଉଛି ବାଙ୍ଗାଲୋର । ଶେଷ ୩ଟି ସିଜିନ୍‌ରେ ବାଙ୍ଗାଲୋର ପ୍ଲେ-ଅଫ୍‌ ଖେଳିଛି । ତେଣୁ ଏଥର ମଧ୍ୟ ଟିମ୍‌କୁ ଆଉ ପଦେ ଉପରକୁ ଉଠି ଟ୍ରଫି ଜିତିବା ଆଶା ରଖିଛନ୍ତି ଫ୍ୟାନ୍ସ । ଚଳିତ ସିଜିନ୍‌ରେ ଦକ୍ଷିଅ ଆଫ୍ରିକା ଷ୍ଟାର୍‌ ଫାପ୍‌ ଡୁ ପ୍ଲେସି ଅଧିନାୟକ କରିବେ । ତାଙ୍କ ସାଙ୍ଗକୁ ବିରାଟ କୋହଲି ଏବଂ ଗ୍ଲେନ୍‌ ମ୍ୟାକ୍ସଓ୍ୱେଲ୍‌ ରହିଛନ୍ତି । ଯାହାକି ବିରୋଧୀଙ୍କୁ ଝଟ୍‌କା ଦେବାରେ ମାହିର ।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ଇତିହାସରେ ସବୁଠୁ ସଫଳ ଦଳ । ରୋହିତଙ୍କ ନେତୃତ୍ୱରେ ଦଳ ୫ ଥର ଚମ୍ପିଆନ୍‌ ହୋଇଛି । କିନ୍ତୁ ୨୦୨୨ ସିଜିନ୍‌ରେ ଦଳେ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲା । ତେଣୁ ଚଳିତ ସିଜିନ୍‌ର ନିଜ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିଛି ଟିମ୍‌ । ୨୦୨୩ ସିଜିନ୍‌ରେ ମୁମ୍ବାଇ ଏକ ସନ୍ତୁଳିତ ଦଳ ବୋଲି ବିଶେଷଜ୍ଞ କହୁଛନ୍ତି । ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କାମେରୁନ୍‌ ଗ୍ରୀନ୍‌ଙ୍କ ଉପସ୍ଥିତି ବିରୋଧୀଙ୍କ ଚକ୍‌ମା ଦେଇପାରେ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ସମ୍ଭାବ୍ୟ ଦଳ : ଫାଫ ଡୁ ପ୍ଲେସି(ଅଧିନାୟକ) ବିରାଟ କୋହଲି, ମହିପାଲ୍‌ ଲୋମରର, ଗ୍ଲେନ ମ୍ୟାକ୍ସୱେଲ, ମାଇକେଲ ବ୍ରେସୱେଲ୍‌, ଦିନେଶ କାର୍ତ୍ତିକ, ସାହବାଜ ଅହମ୍ମଦ, ହର୍ଷଲ ପଟେଲ, ଆକାଶଦୀପ, ରିସ ଟପଲି, ମହମ୍ମଦ ସିରାଜ ।

ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଦଳ : ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଟିମ ଡେଭିଡ୍‌, କାମେରନ ଗ୍ରୀନ, ରମଣଦୀପ ସିଂହ, ଜୋଫ୍ରା ଆର୍ଚର, ହ୍ରିତିକ ସୋକିନ, ସନ୍ଦିପ ୱାରିୟର, ଜାସନ ବେହରନଡର୍ଫ ।

Exit mobile version