Site icon ଆଜିକାଲି

ଆଇପିଏଲ-୨୦୨୪ : ତୃତୀୟ ଥର ଆଇପିଏଲ ଟ୍ରପି ହାତେଇଲା କୋଲକାତା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ତୃତୀୟ ଥର ଆଇପିଏଲ ଟ୍ରପି ହାତେଇଛି କୋଲକାତା ନାଇଟ ରାଇଡର୍ସ । ଫାଇନାଲ ଲଢେଇରେ ସନରାଇଜର୍ସ ହାଇଦ୍ରାବାଦକୁ ଚକମା ଦେଇ ବିଜୟ ମୁକୁଟ ପିନ୍ଧିଛି ଶ୍ରେୟସ ସେନା । ମିଚେଲ ଷ୍ଟାର୍କଙ୍କ ଦମଦାର ବୋଲିଂ ଏବଂ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂରେ କୋଲକାତା ହାଇଦ୍ରାବାଦକୁ ପରାସ୍ତ କରିଛି । କମିନ୍ସ ସେନାର ୧୧୪ ରନ୍ ଲକ୍ଷ୍ୟକୁ ମାତ୍ର ୧୧ ଓଭରରେ ହାସଲ କରି ତୃତୀୟ ଥର ପାଇଁ ଆଇପିଏଲ ଟ୍ରପି ନିଜର କରିଛି କୋଲକାତା । କୋଲକାତା ଶେଷ ଥର ପାଇଁ ୨୦୧୪ରେ ଆଇପିଏଲ ଜିତିଥିଲା। ସେହି ସମୟରେ ଅଧିନାୟକ ଗୌତମ ଗମ୍ଭୀର ଥିଲେ ଏବଂ ଏହି ସିଜିନ୍‌ରେ ସେ ଦଳର ମେଣ୍ଟର ଅଛନ୍ତି। ତାଙ୍କ ମାର୍ଗଦର୍ଶନରେ ଏହି ଦଳ ପୁଣି ଥରେ ଚାମ୍ପିଅନ ହୋଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ୧୮ ଓଭରରେ ୧୧୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଆଇପିଏଲ ଇତିହାସର ଫାଇନାଲ୍‌ରେ ଏହା ହେଉଛି ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୨୦୧୩ରେ ଚେନ୍ନାଇ ମୁମ୍ବାଇକୁ ୧୨୫ରନ ଟାର୍ଗେଟ ଦେଇଥିଲା। ହାଇଦ୍ରାବାଦ୍‌ ଆରମ୍ଭରୁ ଝଟ୍‌କା ପାଇଥିଲା। ଅଭିଷେକ ଶର୍ମା ଦୁଇଟି ରନ ଏବଂ ଟ୍ରାଭିସ ହେଡ ଖାତା ନ ଖୋଲି ପ୍ୟାଭିଲିୟନକୁ ଫେରିଥିଲେ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରିଥିଲେ କୋଲକାତା ବୋଲର। ରାହୁଲ ତ୍ରିପାଠୀ ୯, ଆଡେନ ମାର୍କ୍ରାମ ୨୦, ନୀତୀଶ କୁମାର ରେଡ୍ଡୀ ୧୩, ହେନ୍ରିଚ କ୍ଲାସେନ ୧୬, ଶାହବାଜ ଅହମ୍ମଦ ୮, ଅବଦୁଲ ସମଦ ୪, ପାଟ କମିନ୍ସ ୨୪, ଜୟଦେବ ଉଦାଦକତ ୪ ସ୍କୋର କରିଥିଲେ। ଭୁବନେଶ୍ୱର କୁମାର ଖାତା ନ ଖୋଲି ଅପରାଜିତ ରହିଥିଲେ। କୋଲକାତା ପାଇଁ ଆନ୍ଦ୍ରେ ରସେଲ ୩ଟି ଉଇକେଟ ନେଇଥିବାବେଳେ ଷ୍ଟାର୍କ ଏବଂ ହର୍ଷିତ ରାଣା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଏହା ବ୍ୟତୀତ ବୈଭବ ଆରୋରା, ସୁନୀଲ ନାରିନ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Exit mobile version