Site icon ଆଜିକାଲି

ଇସ୍ରାଏଲ ଆକ୍ରମଣର ଜବାବ ଦେବ ଇରାନ

ନୂଆଦିଲ୍ଲୀ : ଇସ୍ରାଏଲ ଆକ୍ରମଣର ଜବାବ ଦେବ ଇରାନ। ଶନିବାର ଇସ୍ରାଏଲ ପକ୍ଷରୁ ଇରାନର ବିଭିନ୍ନ ସୈନ୍ୟ ଠିକଣା ଉପରେ ରକେଟ୍‌ ମାଡ଼ କରାଯିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛି ଇରାନ ବୈଦେଶିକ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଇରାନ ନିଜର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ଇସ୍ରାଏଲ ଆକ୍ରମଣ କରି ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଛି। ଏହାର ଉଚିତ ଜବାବ ଦିଆଯିବ ବୋଲି ତେହରାନ କହିଛି।

ସେପଟେ ଏହି ଆକ୍ରମଣକୁ ଲେବାନନ ଏବଂ ଇଜିପ୍ଟ ପକ୍ଷରୁ ନିନ୍ଦା କରାଯାଇଛି। ଇସ୍ରାଏଲ ଆକ୍ରମଣ ଫଳରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବ ଏବଂ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରଭାବିତ ହେବ ବୋଲି ଇଜିପ୍ଟ କହିଛି। ଲେବାନନ ମଧ୍ୟ ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିବା ସହିତ ଇରାନ ସର୍ବଭୌମତର ଉଲ୍ଲଂଘନ ବୋଲି କହିଛି। ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପ୍ରତି ଏହା ବଡ଼ ବିପଦ ବୋଲି ଲେବାନନ କହିଛି।

ଇରାନ ବୈଦେଶିକ ମନ୍ତ୍ରୀ ଜାରି କରିଥିବା ବିବୃତିରେ ଆହୁରି କୁହାଯାଇଛି ଯେ ଇହୁଦୀ ସରକାର ଜବରଦଖଲ, ବେଆଇନ କାର୍ଯ୍ୟାନୁଷ୍ଠାନ ବିଶେଷ କରି ପାଲେଷ୍ଟାଇବାସୀଙ୍କ ନରସଂହାର ଓ ଲେବାନନରେ ଉତ୍ତଜେନା ଜାରି ରଖିଛି। ଏହାକୁ ଆମେରିକା ଓ ଅନ୍ୟ କିଛି ପଶ୍ଚିମ ଦେଶ ବେଶ ଚତୁରତାର ସହ ସମର୍ଥନ କରୁଛନ୍ତି। ଏହି କାରଣରୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଓ ଅସ୍ଥିରତା ବଢ଼ିଛି। ଏୟାର ଷ୍ଟ୍ରାଇକ କରି ଇସ୍ରାଏଲ ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘରେ ପ୍ରଦତ୍ତ ନିୟମ ଉଲ୍ଲଙ୍ଘନ କରିଛି। ଅନ୍ତର୍ଜାତୀୟ ମାନବୀୟ ଆଇନକୁ ମଧ୍ୟ ଇସ୍ରାଏଲ ଉଲ୍ଲଙ୍ଘନ କରିଥିବାରୁ, ତା’ ବିରୋଧରେ ମିଳିତ ଜାତିସଂଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଇରାନ କହିଛି। ଅନ୍ୟପକ୍ଷରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ସୀମିତ କ୍ଷତି ଘଟିଛି ଓ ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରହିଥିବା ଇରାନ ସରକାର ସୂଚନା ଦେଇଛନ୍ତି। ଏହି ଆକ୍ରମଣ କୌଣସି ତୈଳ ଡିପୋ କିମ୍ବା ପରମାଣୁ ଅସ୍ତ୍ର ଠିକଣା ଉପରେ ହୋଇନାହିଁ। କେବଳ ସାମରିକ ବେସକୁ ଟାର୍ଗେଟ କରାଯାଇଥିଲା। ଏୟାର ଡିଫେନ୍ସ ସିଷ୍ଟମ୍‌ ଅଧିକାଂଶ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରୁ ଟାର୍ଗେଟ୍‌ କରି ତଳକୁ ଖସାଇ ଦେଇଥିବା ଇରାନ କହିଛି।

ଅକ୍ଟୋବର ୧ରେ ଇରାନ ଇସ୍ରାଏଲ ଉପରେ ପ୍ରାୟ ୧୮୦ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହା ପରେ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ଯେ ଇରାନକୁ ଏହି ଆକ୍ରମଣର ମୂଲ୍ୟ ଦେବାକୁ ପଡ଼ିବ। ଉକ୍ତ ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା କୁହାଯାଉଛି। ସ୍ଥାନୀୟ ସମୟ ରାତି ପ୍ରାୟ ୨.୩୦ରେ ତେହରାନ, ଇଲାମ, ଖୁଜେସ୍ତାନରେ ଥିବା ସାମରିକ ସାଇଟ ଉପରେ ବୋମା ମାଡ଼ ହୋଇଥିଲା। ଆଖପାଖ ଅଞ୍ଚଳରେ ଥିବା ଲୋକମାନେ ବିସ୍ଫୋରଣର ଶବ୍ଦ ଶୁଣିଥିବା କହିଛନ୍ତି।

Exit mobile version