Site icon ଆଜିକାଲି

ବ୍ୟାଟ୍ସମ୍ୟାନଙ୍କ ଦାୟିତ୍ବହୀନ ପ୍ରଦର୍ଶନ, ପ୍ରଥମ ଟେଷ୍ଟରେ ୨୮ ରନରେ ହାରିଲା ଭାରତ

ହାଇଦ୍ରାବାଦ: ବ୍ୟାଟ୍ସମ୍ୟାନଙ୍କ ଦାୟିତ୍ବହୀନ ପ୍ରଦର୍ଶନ ଯୋଗୁଁ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଠାରୁ ୨୮ ରନରେ ହାରିଯାଇଛି ଭାରତ । ପ୍ରଥମ ଇନିଂସରେ ୧୯୦ ରନର ବିଶାଳ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଭାରତ ମ୍ୟାଚ୍ ଜିତିପାରି ନାହିଁ। ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍ ନିର୍ଭୀକ ପ୍ରଦର୍ଶନ ସହ ପରାଜୟ ମୁହଁରୁ ବିଜୟ ଛଡ଼ାଇ ଆଣିଛି । ଏହି ଚମତ୍କାର ବିଜୟ ସହ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି | ଦ୍ୱିତୀୟ ଟେଷ୍ଟ ବିଶାଖାପାଟନମରେ ଫେବୃଆରୀ ୨ରୁ ଆରମ୍ଭ ହେବ ।

ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତକୁ ୨୩୧ ରନ୍‌ର ଟାର୍ଗେଟ୍ ମିଳିଥିଲା । ପିଚ୍ ମନ୍ଥର ହୋଇଯାଇଥିଲେ ମଧ୍ୟ ବ୍ୟାଟିଂ ସେଭଳି କଷ୍ଟକର ନଥିଲା । କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନ ଅତ୍ୟଧିକ ରକ୍ଷଣାତ୍ମକ ରଣନୀତି ଆପଣାଇବା ମହଙ୍ଗା ପଡ଼ିଥିଲା । ଏହି ବିଜୟ ଲକ୍ଷ୍ୟ ଜବାବରେ ଭାରତ ୨୦୨ ରନ୍‌ରେ ଅଲ୍ଆଉଟ୍‌ ହୋଇଯାଇଥିଲା । ଦଳ ତରଫରୁ କ୍ୟାପଟେନ୍ ରୋହିତ ଶର୍ମା ସର୍ବାଧିକ ୩୯ ରନ୍ କରିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ କେ.ଏସ୍ ଭାରତ ୨୮-୨୮ ରନ୍ କରିଥିଲେ। ଇଂଲଣ୍ଡ ତରଫରୁ ଡେବୁଟାଣ୍ଟ ସ୍ପିନର ଟମ୍ ହାର୍ଟଲି ଚମତ୍କାର ପ୍ରଦର୍ଶନ ସହ ୭ ୱିକେଟ୍ ନେଇଥିଲେ।

ଦ୍ବିତୀୟ ଇନିଂସରେ ୧୯୬ ରନର ଇନିଂସ୍ ସହ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିବା ଇଂଲଣ୍ଡ ବ୍ୟାଟର ଓଲି ପୋପ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ପୂର୍ବରୁ ଚତୁର୍ଥ ଦିନରେ ଇଂଲଣ୍ଡ ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର୍ ୩୧୬/୬ରୁ ଆଗକୁ ଖେଳିଥିଲା। ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୪୨୦ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଫଳରେ ଭାରତ ଆଗରେ ୨୩୧ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଥିଲା। ପୋପ୍ ୪ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ। ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଜସପ୍ରୀତ ବୁମରା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୩ଟି ୱିକେଟ୍ ନେଇଥିଲେ । ରବୀନ୍ଦ୍ର ଜାଡେଜା ୨ଟି ଏବଂ ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍ ମିଳିଥିଲ।

ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର୍ ୨୪୬ ରନ୍ ଜବାବରେ ଭାରତ ୪୩୬ ରନ୍ କରିଥିଲା। ।

Exit mobile version