Site icon ଆଜିକାଲି

ଦିନିକିଆରେ ବିଶ୍ୱ ରେକର୍ଡ କଲେ ଈଶାନ କିଶନ, ମାରିଲେ ଦ୍ୱିଶତକ

ଚିଟ୍ଟାଗଙ୍ଗ : ବିଶ୍ୱ କ୍ରିକେଟରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଈଶାନ କିଶନ । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ରଚିଲେ ଇତିହାସ । ଏହି ଯୁବ ବ୍ୟାଟ୍ସମ୍ୟାନ୍ ଏହି ମ୍ୟାଚରେ ବିସ୍ଫୋରକ ଦ୍ୱିଶତକ ସହ ରେକର୍ଡ ବୁକରେ ସ୍ଥାନ ପାଇଛନ୍ତି । ଆହତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଖେଳୁଥିବା ଇଶାନ କିଶନ ମାତ୍ର ୧୨୬ ବଲରେ ନିଜର ଦ୍ୱିଶତକ ପୂରଣ କରିଥିଲେ। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଏହା ହେଉଛି ଦ୍ରୁତତମ ଦ୍ୱିଶତକ । ତାଙ୍କ ପୂର୍ବରୁ କେହି ବି ଏତେ କମ ବଲରେ ଦୁଇ ଶତକ ହାସଲ କରି ନଥିଲେ। ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି। ଏଥିସହ କିଶନ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗେଲ୍ ୧୩୮ ବଲରେ ଦ୍ୱିଶତକ କରିଥିଲେ। କିଶନ ମାତ୍ର ୧୩୧ ବଲରେ ୨୪ ଟି ଚୌକା ଓ ୧୦ଟି ଛକା ସହାୟତାରେ ୨୧୦ ରନ କରିଥିଲେ । ସେ ୧୬୦.୩୧ ଷ୍ଟ୍ରାଇକ୍ ରେଟ୍ ସହ ରନ୍ ସଂଗ୍ରହ କରିଥିଲେ । ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଓ ରୋହିତ ଶର୍ମାଙ୍କ ପରେ ଈଶାନ କିଶନ ୪ର୍ଥ ଭାରତୀୟ ଭାବେ ଦିନିକିଆରେ ଡବଲ ଟନ୍‌ ହାସଲ କରିଛନ୍ତି।

ରୋହିତ ଶର୍ମା ଆହତ ହେବାରୁ ଈଶାନ କିଶନଙ୍କୁ ଆଜି ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ସୁଯୋଗ ମିଳିଥିଲା। ସେ ଆରମ୍ଭରୁ ହିଁ ଆଟାକିଂ ଶଟ୍‌ ଖେଳି ପ୍ରଥମେ ୮୫ ବଲରେ ନିଜର ଶତକ ହାସଲ କରିଥିଲେ। ଏହାପରେ ୧୨୬ ବଲରେ ନିଜର ଦୁଇ ଶତକ ହାସଲ କରିଛନ୍ତି। ଦୁଇ ଶତକ ହାସଲ କରିବା ପରେ ସେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଟସ୍କିନ ଅହମଦ ବଲରେ ଆଉଟ ହୋଇଛନ୍ତି। ଈଶାନ କିଶନ ୧୩୧ ବଲରେ ୨୧୦ ରନ କରିଛନ୍ତି। ଏହି ଇନିଂସରେ ୧୦ଟି ବିଶାଳ ଛକା ଓ ୨୪ଟି ଚୌକା ମାରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୬୦.୩ ରହିଛି।

Exit mobile version