Site icon ଆଜିକାଲି

ଇସ୍ରାଏଲ୍-ପାଲେଷ୍ଟାଇନ୍ ଭୟଙ୍କର ଯୁଦ୍ଧ, ଗଲାଣି ୧୬ଶହ ଜୀବନ

ନୂଆଦିଲ୍ଲୀ : ହମାସ ଆକ୍ରମଣର ଭୟଙ୍କର ପ୍ରତିଶୋଧ ନେଉଛି ଇସ୍ରାଏଲ । ଗାଜାକୁ ସଂପୂର୍ଣ୍ଣ ଘେରାବନ୍ଦୀ କରି ହମଲା କରୁଛି । ଘନଘନ ଏୟାରଷ୍ଟ୍ରାଇକ୍ । ବର୍ଷୁଛି ମିସାଇଲ୍ ଓ ରକେଟ୍ । ଗାଜାକୁ ବିଦ୍ୟୁତ ଯୋଗାଣ ବନ୍ଦ କରି ଘନଅନ୍ଧାର ଭିତରେ ଜୋରଦାର ହମଲା କରୁଛି ଇସ୍ରାଏଲ୍ । ବର୍ତ୍ତମାନ ସୁଦ୍ଧା ଲଢ଼େଇରେ ଉଭୟ ପକ୍ଷର ୧୬ଶହ ଜୀବନ ଗଲାଣି। ଇସ୍ରାଏଲରେ ୯ଶହରୁ ଅଧିକ ନାଗରିକଙ୍କ ପ୍ରାଣ ହରାଇଥିବା ବେଳେ ଶତାଧିକ ନାଗରିକ ଓ ସୈନ୍ୟଙ୍କୁ ଅପହରଣ କରିଛି ହମାସ। ଜବାବୀ ହମଲାରେ ପାଲେଷ୍ଟାଇନରେ ଗଲାଣି ପ୍ରାୟ ୭ଶହ ଜୀବନ ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ହମାସକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେବୁ । ଆମ ଉପରେ ଆକ୍ରମଣ କରି ଐତିହାସିକ ଭୁଲ କରିଛି ବୋଲି ହମାସ୍ ବୁଝିଯିବ । ଏମିତି ମୂଲ୍ୟ ଦେବାକୁ ପଡ଼ିବ ଯାହାକୁ ଆଗାମୀ ଶତାବ୍ଦୀ ଧରି ହମାସ ଆତଙ୍କୀ ଓ ଇସ୍ରାଏଲର ଅନ୍ୟ ଶତ୍ରୁ ମନେ ରଖିବେ । ଇସ୍ରାଏଲ ମାଟିରେ ହୋଇଥିବା ଶତାବ୍ଦୀର ସବୁଠୁ ବଡ଼ ଆକ୍ରମଣର ଜବାବୀ ହମଲା ଏବେ ଆରମ୍ଭ ହୋଇଛି । ସେମାନଙ୍କ ବିରୋଧରେ ବିଶାଳ ସୈନ୍ୟ ଶକ୍ତିକୁ ବ୍ୟବହାର କରିବ ଇସ୍ରାଏଲ୍ । ଏହି ଯୁଦ୍ଧ ଇସ୍ରାଏଲ ଜିତିବ ବୋଲି କହିଛନ୍ତି ନେତାନ୍ୟାହୁ । ସାରା ବିଶ୍ବ ଦେଖୁଛି ଦୁଇ ପାରମ୍ପିରିକ ଶତ୍ରୁ ଦେଶର ଯୁଦ୍ଧ ବିଭୀଷିକା । ଘନଘନ ଏୟାରଷ୍ଟ୍ରାଇକରେ ଥରି ଉଠୁଛି ଗାଜା ଷ୍ଟ୍ରିପ୍ । ସ୍ଥଳ ଓ ଆକାଶମାର୍ଗରୁ ବୋମାମାଡ଼ରେ ଚୁରମାର ହୋଇ ଯାଉଛି ବଡ଼ବଡ଼ ଅଟ୍ଟାଳିକା। ଅହରହ ଶୁଭୁଛି ଗୁଳିଗୋଳାର ଛାତିଥରା ଶବ୍ଦ । ହମାସର ଶତାଧିକ ଆଡ୍ଡା ଉପରେ ରକେଟ୍ ଓ ବୋମାମାଡ଼ କରି ଉଡ଼ାଉଛି ଇସ୍ରାଏଲ୍ । ହମାସ୍ ବିରୋଧରେ ଲଢୁଛନ୍ତି ଇସ୍ରାଏଲର ଲକ୍ଷେରୁ ଅଧିକ ସେନା । ଆଉ ୩ ଲକ୍ଷ ରିଜର୍ଭ ଫୋର୍ସକୁ ନିୟୋଜିତ କରିଛି ।

Exit mobile version