ନୂଆଦିଲ୍ଲୀ : ଚଳିତ ବର୍ଷ କମ୍ ଥଣ୍ଡା ହେବ । ଏଲ-ନିନୋ କାରଣରୁ ଶୀତ ଲହରୀ ଅଧିକ ହେବ ନାହିଁ । ଶୀଥ ଋତୁରେ ଥଣ୍ଡା ଦିନ କମ୍ ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମ୍ଡିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୧୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଦେଶରୁ ମୌସୁମୀ ଫେରିଯିବ । ଫଳରେ ବର୍ଷାଋତୁ ମଧ୍ୟ ଶେଷ ହୋଇଛି ।
ଏଲ୍ ନିନୋ ପ୍ରଭାବର ଚଳିତବର୍ଷ ୯୪.୪ ପ୍ରତିଶତ ମୌସୁମୀ ବର୍ଷା ହୋଇଛି । ୭୩ ପ୍ରତିଶତ ଉପଖଣ୍ଡ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହୋଇଛି । ଅନ୍ୟ ୧୮ ପ୍ରତିଶତ ଅଞ୍ଚଳରେ କମ୍ ବର୍ଷା ରେକର୍ଡ କରାଯାଇଛି । ପୂର୍ବ ଓ ଉତ୍ତର-ପୂର୍ବ ଅଞ୍ଚଳରେ ୧୮ ପ୍ରତିଶତ କମ୍ ବର୍ଷା ହୋଇଛି । ଏହି ଅଞ୍ଚଳରେ ହାରାହାରି ୧୩୬୭.୩ ମି.ମି. ବର୍ଷା ହେବା କଥା । କିନ୍ତୁ ଏଲ-ନିନୋ ଯୋଗୁ ୧୧୧୫ ମି.ମି ବର୍ଷା ହୋଇଛି । ଉତ୍ତର ପଶ୍ଚିମାଞ୍ଚଳରେ ୫୮୭.୬ ମି.ମି ବର୍ଷା ହେବା କଥା । ହେଲେ ସେଠାରେ ୫୯୩ ମି.ମି ବର୍ଷା ହୋଇଛି । କେନ୍ଦ୍ରୀୟ ଭାରତରେ ଅଧିକାଂଶ ଫସଲ ମୌସୁମୀ ବର୍ଷା ଉପରେ ନିର୍ଭର କରେ ସେଠାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଦକ୍ଷିଣ ଉପଦ୍ୱୀପାଞ୍ଚଳରେ ୮ ପ୍ରତିଶତ କମ୍ ବର୍ଷା ହୋଇଛି । ବର୍ଷା ଋତୁ ପୂର୍ବରୁ ଆଇଏମଡି ସ୍ୱାଭାବିକ ବର୍ଷା ହେବା ନେଇ ଆକଳନ କରିବା ସହିତ ବର୍ଷାଋତୁର ଶେଷଭାଗକୁ ଏଲ୍-ନିନୋର ପ୍ରଭାବ ପଡିପାରେ ବୋଲି ଆଶଙ୍କା କରିଥିଲା ।
ବର୍ଷାଋତୁର ପ୍ରଥମ ମାସ ବା ଜୁନରେ କମ୍ ବର୍ଷା ହୋଇଥିଲା । କିନ୍ତୁ ଜୁଲାଇରେ ପଶ୍ଚିମା ଝଡର ପ୍ରଭାବରେ ଅଧିକ ବର୍ଷିଥିଲା । ସେହିଭଳି ଅଗଷ୍ଟରେ ବର୍ଷାର ପରିମାଣ କମ୍ ହୋଇଥିଲା ବେଳେ ସେପ୍ଟେମ୍ବରରେ ତାହା ଭରଣା ହୋଇଯାଇଥିଲା । ୪ମାସ ଭିତରେ ଦେଶରେ ମୋଟ୍ ୮୨୦ ମି.ମି ବର୍ଷା ହୋଇଛି । ସ୍ୱାଭାବିକ ଭାବେ ଦୀର୍ଘ ଅବଧିରେ ହରାହାରି ୮୬୮.୬ ମି.ମି ବର୍ଷା ହେବା କଥା । ଏଲପିଏରେ ୯୪-୧୦୬ ପ୍ରତିଶତ ବର୍ଷାକୁ ସ୍ୱାଭାବିକ ବୋଲି ଧରାଯାଏ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏଲ୍ ନିନୋ ମୌସୁମୀ ବର୍ଷା ଉପରେ ସେଭଳି କୌଣସି ବଡ଼ ପ୍ରଭାବ ପକାଇନାହିଁ ।