Site icon ଆଜିକାଲି

ହମାସ-ଇସ୍ରାଏଲ ଯୁଦ୍ଧକୁ ପୂରିଲା ମାସେ, ପ୍ରତିଶୋଧର ନିଆଁରେ ଛାରଖାର ଗାଜା

ନୂଆଦିଲ୍ଲୀ : ହମାସ-ଇସ୍ରାଏଲ ଯୁଦ୍ଧକୁ ମାସେ ପୂରିଲା। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମଲା କରିଥିଲା ହମାସ। ଗାଜାପଟିରୁ ଅଚାନକ ଇସ୍ରାଏଲ ଉପରେ ରକେଟ ବର୍ଷା କରିଥିଲା। ଇସ୍ରାଏଲକୁ ହମାସ ଆକ୍ରମଣର ସୁରାକ ମଧ୍ୟ ମିଳିନଥିଲା। ମାତ୍ର କେଇ ମିନିଟ ଭିତରେ ଇସ୍ରାଏଲ ଉପରେ ୫ ହଜାର ରକେଟ ବର୍ଷା କରିଥିଲା ହମାସ। ଏହାପରେ ଉତ୍ତର ଗାଜା ଦେଇ ଇସ୍ରାଏଲ ଭିତରକୁ ପଶି ଆସିଥିଲେ ଅନେକ ହମାସ ଆତଙ୍କବାଦୀ। ବହୁ ଲୋକଙ୍କୁ ହତ୍ୟା କରିବା ସହ ପଣବନ୍ଦୀ କରି ନେଇଥିଲେ। ୨୪୦ ଜଣଙ୍କୁ ପଣବନ୍ଦୀ ରଖିଛି ହମାସ। ହମାସ ଆକ୍ରମଣରେ ଇସ୍ରାଏଲର ୧୪ ଶହ ଲୋକଙ୍କ ମୃତ୍ୟୁ ଘଟିଛି।

ତେବେ ହମାସ ଉପରେ ଭୟଙ୍କର ପ୍ରତିଶୋଧ ନେଉଛି ଇସ୍ରାଏଲ। ହମାସକୁ ପୂରା ନିପାତ କରିବାକୁ ନିର୍ଣ୍ଣାୟକ ଲଢ଼େଇ କରୁଛି ଇସ୍ରାଏଲ ସେନା। ଗାଜାରେ ହମାସ ଠିକଣାରେ ଭୟଙ୍କର ହମଲା ହେଉଛି। ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ହମଲା ଜାରି ରଖିଛି ଆଇଡିଏଫ। ଏୟାର ଷ୍ଟ୍ରାଇକ୍ ସହ ବଡ଼ ଗ୍ରାଉଣ୍ଡ ଅପରେସନ କରୁଛି ଇସ୍ରାଏଲର ସ୍ଥଳ ସେନା। ଗୋଟିଏ ପରେ ଗୋଟିଏ ହମାସ ଟନେଲ ଧ୍ବଂସ ହେଉଛି। ଗାଜାକୁ ୨ ଭାଗ କରି ଅପରେସେନ ଚଳାଇଛି ଇସ୍ରାଏଲ ସେନା। ହମାସକୁ ଧୂଳିସାତ କରିବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ ବୋଲି ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଇସ୍ରାଏଲ ଅଭିଧାନରେ ଯୁଦ୍ଧବିରତି ନାହିଁ ବୋଲି ସେ କହିଛନ୍ତି। ଇସ୍ରାଏଲ ହମଲାରେ ଗାଜା ସଂପୂର୍ଣ୍ଣ ଛାରଖାର ହୋଇ ଗଲାଣି। ହଜାର ହଜାର ବିଲ୍ଡିଂ ମାଟିରେ ମିଶି ଯାଇଛି।

ହମାସ ବ୍ୟବହାର କରୁଥିବା ସାଧାରଣ ଭିତ୍ତିଭୂମି ଗୁଡ଼ିକ ମଧ୍ୟ ଧ୍ବସ୍ତ ବିଧ୍ବସ୍ତ। ଏପର୍ଯ୍ୟନ୍ତ ଗାଜାର ୧୦ ହଜାର ଲୋକଙ୍କ ଜୀବନ ଗଲାଣି। ବହୁ ଲୋକ ଉତ୍ତର ଗାଜା ଛାଡ଼ି ସାରିଲେଣି। ତଥାପି ଅନେକ ଲୋକ ଅଛନ୍ତି। ଗାଜାରେ ଭୟଙ୍କର ମାନବୀୟ ସଂକଟ। ଏକ ମାସର ଯୁଦ୍ଧ ପରେ ବି ଅସ୍ତ୍ରବିରତିର କୌଣସି ସଂକେତ ନାହିଁ। ଯୁଦ୍ଧରେ ମାନବୀୟ ବିରାମ ପାଇଁ ଆହ୍ବାନ ଦେଇଛି ଜାତିସଂଘ। ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତର ଏବଂ ମାନବୀୟ ସହାୟତା ପହଞ୍ଚିବାକୁ ଆମେରିକା ମଧ୍ୟ ସାମୟିକ ବିରାମ ଚାହୁଁଛି। ତେବେ ସମସ୍ତ ପଣବନ୍ଦୀ ମୁକ୍ତ ନହେବା ପର୍ଯ୍ୟନ୍ତ ଅସ୍ତ୍ରର ଗର୍ଜନ ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ଆଇଡିଏଫ।

Exit mobile version