Site icon ଆଜିକାଲି

ଜେଟ୍ ଏୟାର୍‌ୱେଜ୍‌ ସଂସ୍ଥାପକ ନରେଶ ଗୋୟଲ ଗିରଫ

ମୁମ୍ବାଇ : ନରେଶ ଗୋୟଲ ଗିରଫ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) କାନାରା ବ୍ୟାଙ୍କ୍‌ର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ‘ଜେଟ୍‌ ଏୟାର୍‌ୱେଜ୍‌’ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଛି। ଏହି ମାମଲାରେ ତାଙ୍କୁ ଜେରା କରିବା ପରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଜେରା ପାଇଁ ଗୋୟଲ ‘ସିରିୟସ୍‌ ଫ୍ରଡ୍‌ ଇନ୍‌ଭେଷ୍ଟିଗେସନ୍‌ ଅଫିସ୍‌’ (ଏସ୍‌ଏଫଆଇଓ) ଅଭିମୁଖେ ବାହାରିଥିଲେ, କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ତାଙ୍କୁ ଧରି ନେଇଥିଲେ। କାରଣ, ଏଜେନ୍ସୀ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ୨ଟି ସମନକୁ ସେ ଏଡ଼ାଇ ଯାଇଥିଲେ।

ଚଳିତ ବର୍ଷ ମେ’ ମାସ ପ୍ରାରମ୍ଭରେ ସିବିଆଇ ପଞ୍ଜିକୃତ କରାଇଥିବା ଏଫ୍‌ଆଇଆର୍ ଆଧାରରେ ଏହି ମାମଲା ଆଗକୁ ବଢିଛି । ମେ’ ୫ ତାରିଖରେ ଗୋୟଲ୍‌ଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ମୁମ୍ବାଇର ୭ଟି ସ୍ଥାନରେ ଚଢ଼ାଉ କରିଥିଲା ସିବିଆଇ । ଜେଟ୍‌ ଏୟାର୍‌ୱେଜ୍‌’ର ସଂସ୍ଥାପକ ନରେଶ ଗୋୟଲଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଅର୍ଥ ଆତ୍ମସାତ ଭଳି ସଙ୍ଗୀନ ଅଭିଯୋଗ ରହିଥିଲା । କାନାରା ବ୍ୟାଙ୍କ୍‌ର ଚିଫ୍‌ ଜେନେରାଲ୍‌ ମ୍ୟାନେଜର୍ ପି. ‌ସନ୍ତୋଷ ଦସ୍ତଖତ ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ, ଅନୀତା ନରେଶ ଗୋୟଲ୍‌, ଗୌରାଙ୍ଗ ଆନନ୍ଦ ସେଟ୍ଟୀ, ଅଜ୍ଞାତ ସରକାରୀ କର୍ମଚାରୀ ଓ ଅନ୍ୟମାନେ ଜାଲିଆତି କରି ବ୍ୟାଙ୍କ୍‌ର ୫୩୮.୬୨ କୋଟି ଟଙ୍କା କ୍ଷତି କରାଇଛନ୍ତି। ଆର୍ଥିକ କ୍ଷତି ଯୋଗୁଁ ଜେଟ୍‌ ଏୟାର୍‌ୱେଜ୍‌ ୨୦୧୯ରେ ସେବା ବନ୍ଦ କରିଥିଲା।

Exit mobile version