Site icon ଆଜିକାଲି

ବେଆଇନ ଖଣି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଆଶ୍ବସ୍ତି, ହାଇକୋର୍ଟ ରାୟକୁ ରଦ୍ଦ କଲେ ସୁପ୍ରିମକୋର୍ଟ


ରାଞ୍ଚି : ବେଆଇନ ଖଣି ଲିଜ୍ ଏବଂ ମନି ଲଣ୍ଡରିଂ ମାମଲାରେ ଝଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ସୋରେନଙ୍କ ବିରୋଧରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ହାଇକୋର୍ଟ ରାୟ ବିରୋଧରେ ଅପିଲ କରିବା ପାଇଁ ମଧ୍ୟ ସୋରେନଙ୍କୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ ସୋରେନଙ୍କ ବିରୋଧରେ ହୋଇଥିବା ଆବେଦନ ଝାଡଖଣ୍ଡ ହାଇକୋର୍ଟରେ ଶୁଣାଣି ପାଇଁ ଯୋଗ୍ୟ ନୁହେଁ।

ସୂଚନା ଯେ, ଏକ ଜନସ୍ବାର୍ଥ ମାମଲା ଭିତ୍ତିରେ ସୋରେନଙ୍କ ବିରୋଧରେ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ସୋରେନ ଓ ଝାଡ଼ଖଣ୍ଡ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହାପୂର୍ବରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ବଡ଼ ଆଶ୍ବସ୍ତି ଦେଇଥିଲେ। ସେଲ୍ କମ୍ପାନୀ ଜରିଆରେ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ଝାଡଖଣ୍ଡ ହାଇକୋର୍ଟରେ ସୋରେନଙ୍କ ବିରୋଧରେ ଚାଲିଥିବା ଶୁଣାଣି ସ୍ଥଗିତ ରଖିଥିଲେ। ହାଇକୋର୍ଟରେ ପିଟିସନର ଶୁଣାଣି ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆବେଦନକାରୀ କିମ୍ବା ଇଡି ସୋରେନଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ କରିପାରି ନାହାଁନ୍ତି। କୋର୍ଟ ଇଡି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଯଦି ସୋରେନଙ୍କ ବିରୋଧରେ ପ୍ରମାଣ ଅଛି, ତେବେ ଇଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି କାହିଁକି?

ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ବିଜେପିର ଅଭିଯୋଗ ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ସମ୍ଭାବନା ରହିଛି । ଏହି ମାମଲାରେ ନିର୍ବାଚନ ଆୟୋଗ ନିଜ ରିପୋର୍ଟ ଝାଡ଼ଖଣ୍ଡ ରାଜ୍ୟପାଳ ରମେଶ ବୈଶଙ୍କୁ ପଠାଇ ଦେଇଥିଲେ ମଧ୍ୟ ରାଜ୍ୟପାଳ ଏହାକୁ ଝୁଲାଇ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପଦରେ ଥାଇ ବି ହେମନ୍ତ ସୋରେନ ନିଜ ନାମରେ ଖଣି ଲିଜ୍ ନେଇଥିଲେ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା । ଏଥିପାଇଁ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ବିଜେପି ଦାବି କରିଥିଲା । ଜୁଲାଇରେ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ପଙ୍କଜ ମିଶ୍ରଙ୍କ ଘରେ ଚଢ଼ାଉ କରି ଇଡି ୫ କୋଟିରୁ ଉର୍ଦ୍ଧ୍ବ ନଗଦ ସହ ଦୁଇଟି ଏକେ-୪୭ ରାଇଫଲ ଜବତ କରିଥିଲା ।

Exit mobile version