Site icon ଆଜିକାଲି

ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେନି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ

ନୂଆଦିଲ୍ଲୀ : ଏହି ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେବେ ନାହିଁ । ଜିନପିଙ୍ଗଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କ ନେତୃତ୍ୱରେ ତାଙ୍କ ଦେଶର ପ୍ରତିନିଧିମଣ୍ଡଳ ଯୋଗ ଦେବେ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏହି ଘୋଷଣା କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛନ୍ତି ଯେ ଭାରତ ସରକାରଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସେପ୍ଟେମ୍ବର ୯ ଓ ୧୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ତମ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ।

ଅନ୍ୟପକ୍ଷରେ ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସେପ୍ଟେମ୍ବର ୭ରେ ଦିଲ୍ଲୀରେ ପହଞ୍ଚିବେ । ଜି -୨୦ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଜୋ ବାଇଡେନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଜି-୨୦ ସମ୍ମିଳନୀରେ ଯୋଗ ନଦେବା ଖବରକୁ ନେଇ ବେଶ୍ ନିରାଶ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ସେପ୍ଟେମ୍ବର ୯-୧୦ରେ ଏହି ପ୍ରଭାବଶାଳୀ ଗୋଷ୍ଠୀର ବାର୍ଷିକ ଶିଖର ସମ୍ମିଳନୀ ଆୟୋଜନ କରୁଛି | ଏଥିରେ ବାଇଡେନଙ୍କ ସମେତ ବିଶ୍ବର ଦୁଇ ଡଜନରୁ ଅଧିକ ନେତା ଯୋଗଦେବେ ।

ତେବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବ୍ୟତୀତ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -୨୦ ବୈଠକରେ ଯୋଗ ଦେବେ ନାହିଁ।

Exit mobile version