Site icon ଆଜିକାଲି

ଜଷ୍ଟିସ ସଞ୍ଜୀବ ଖାନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି, ୧୧ରେ ନେବେ ଶପଥ

ନୂଆଦିଲ୍ଲୀ: ଜଷ୍ଟିସ ସଞ୍ଜୀବ ଖାନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସଞ୍ଜୀବ ଖାନାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନା ଦାୟିତ୍ବ ଗ୍ରହଣ କରିବେ। ଜାତୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଥିବା ଜଷ୍ଟିସ ଖାନା ଭାରତର ସୁପ୍ରିମ କୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ସୂଚନା ମିଳିଛି।

୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ପଞ୍ଜୀକରଣ ସହ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା। ପ୍ରଥମେ ସେ ହଜାରି କମ୍ପ୍ଲେକ୍ସ ଜିଲ୍ଲା କୋର୍ଟରେ ଓକିଲ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ। ଏହାପରେ ବିଭିନ୍ନ ହାଇକୋର୍ଟରେ ଓକିଲାତି କରିବା ସହ ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ। ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ।

୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ୨୦୧୯ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସେବେଠାରୁ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି। ଏବେ ସେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପରେ ସବୁଠାରୁ ବରିଷ୍ଠ। ସେହି ଆଧାରରେ ତାଙ୍କୁ ସିଜେଆଇ କରାଯାଇଛି।

Exit mobile version