Site icon ଆଜିକାଲି

‘ମନ୍‌ କି ବାତ୍‌’ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୯୯ତମ ସଂସ୍କରଣରେ ଓଡ଼ିଆ ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଆଇୟୁପିଏସି ୨୦୨୩ ପୁରସ୍କାର ପାଇଥିବା ଦେଶର ପ୍ରଥମ ମହିଳା ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା କଥା ଉଲ୍ଲେଖ କରିଛନ୍ତି ମୋଦୀ।

ରବିବାର ପୂର୍ବାହ୍ନ ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଏକ ନୂତନ ଦୃଷ୍ଟିକୋଣ‌ ନେଇ ଆବିର୍ଭାବ ହେଉଥିବା ଭାରତର ଭବିଷ୍ୟତ କ୍ଷେତ୍ରରେ ମହିଳା ଶକ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କେମିଷ୍ଟ୍ରି ଏବଂ କେମିକାଲ୍‌ ଇଞ୍ଜିନିୟରିଂ କ୍ଷେତ୍ରରେ ‘ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟର୍‌’ର ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ‘ଆଇୟୁପିଏସି’ ବିଶେଷ ପୁରସ୍କାର ପାଇଛନ୍ତି। ଏହା ଦେଶ ପାଇଁ ଗୌରବର ବିଷୟ।

ସେହିପରି ପ୍ରଯୋଜକ ଗୁନୀତ୍‌ ମୋଙ୍ଗା ଏବଂ ନିର୍ଦେଶିକା କାର୍ତିକୀ ଗନ୍‌ସାଲ୍‌ବେସ୍‌ ପ୍ରାମାଣିକ ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍‌ସ୍ପର୍‌ସ୍‌’ ପାଇଁ ‘ଓସ୍କାର୍‌’ ଜିଣି ଦେଶକୁ ଗୌରବାନ୍ବିତ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଟିମ୍‌ ‘ଟି-୨୦ ବିଶ୍ବକପ୍‌’ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନାଗାଲାଣ୍ଡ୍‌ରେ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନରେ ବିଜୟୀ ହୋଇ ୨ଜଣ ମହିଳା ବିଧାୟିକା ବିଧାନସଭାରେ ପହଞ୍ଚି ପାରିଛନ୍ତି। ଜାତିସଂଘର ଶାନ୍ତିରକ୍ଷା ସେନାରେ ମଧ୍ୟ ଭାରତ କେବଳ ମହିଳା ପ୍ଲାଟୁନ୍‌ ମୁତୟନ କରିଛି। ମହିଳାମାନେ ସବୁ କ୍ଷେତ୍ରରେ ସାମର୍ଥ୍ୟ ପ୍ରତିପାଦନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିକଟ ଅତୀତରେ ‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଇଥିବା ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍‌ ସୁରେଖା ଯାଦବ ଏବଂ ସିଆଚେନ୍‌ରେ ମୁତୟନ ହୋଇଥିବା ପ୍ରଥମ ମହିଳା ଅଧିକାରୀ କ୍ୟାପ୍ଟେନ୍‌ ଶିବା ଚୌହାନଙ୍କ କଥା ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

Exit mobile version