Site icon ଆଜିକାଲି

ପ୍ରଜ୍ବଳ ରେଭନ୍ନାଙ୍କ ଭିଡିଓ ଲିକ୍ କରିଥିବା ବିଜେପି ନେତା ନିଜେ ଯୌନ ନିର୍ଯାତନା ମାମଲାରେ ଗିରଫ

ବେଙ୍ଗାଲୁରୁ : ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କର୍ଣ୍ଣାଟକ ପୋଲିସ ବିଜେପି ନେତା ତଥା ଓକିଲ ଜି ଦେବରାଜ ଗୌଡାଙ୍କୁ ଗିରଫ କରିଛି। ତାଙ୍କୁ କର୍ଣ୍ଣାଟକର ଚିତ୍ରଦୁର୍ଗା ଜିଲ୍ଲାର ଗୁଲିହାଲ ଟୋଲ ଗେଟ୍‌ରୁ ଶୁକ୍ରବାର ରାତିରେ ଗିରଫ କରାଯାଇଥିଲା । ଦେବରାଜ ଗୌଡାଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ମାମଲା ଦାୟର କରିଥିଲେ। ମହିଳା ଜଣକ ଅଭିଯୋଗ କରିଥିଲେ ଯେ ତାଙ୍କ ସମ୍ପତ୍ତି ବିକ୍ରି କରିବାରେ ସହାୟତା କରିବା କହି ଦେବରାଜ ଗୌଡା ୧୦ ମାସ ଧରି ତାଙ୍କର ଯୌନ ଶୋଷଣ କରିଥିଲେ।

ଦେବରାଜ ଗୌଡା କର୍ଣ୍ଣାଟକ ଯୌନ କେଳେଙ୍କେରୀ ଅଭିଯୁକ୍ତ ପ୍ରଜ୍ବଳ ରେଭନ୍ନାଙ୍କ ଭିଡିଓ ଲିକ୍ କରିଥିବା ଅଭିଯୋଗ ମଧ୍ୟ ହୋଇଛି । ଏ ସମ୍ପର୍କରେ ଏସଆଇଟି ତାଙ୍କୁ ଜେରା ପାଇଁ ସମନ କରିଥିଲା।

ଦେବରାଜ ମଧ୍ୟ ହୋଲେନାରସିପୁର ଆସନରୁ ପ୍ରଜ୍ବଳଙ୍କ ବାପା ତଥା ଜେଡିଏସ୍ ବିଧାୟକ ଏଚଡି ରେଭନ୍ନାଙ୍କ ବିରୋଧରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ହାସନ ସାଂସଦ ପ୍ରଜ୍ବଳ ଅନେକ ମହିଳାଙ୍କ ଯୌନ ଶୋଷଣ କରିଥିବା ନେଇ ଦେବରାଜ ହିଁ ବିଜେପି ନେତୃବର୍ଗକୁ ସତର୍କ କରାଇଥିଲେ ଓ ତାଙ୍କୁ ଲୋକସଭା ଟିକେଟ୍ ନ ଦେବାକୁ କହିଥିଲେ। ତେବେ ବିଜେପି ତାଙ୍କ କଥାକୁ ଗୁରୁତ୍ବ ନ‌ଦେଇ ପ୍ରଜ୍ବଳଙ୍କୁ ହାସନ ଆସନରୁ ଏନଡିଏ ପ୍ରାର୍ଥୀ ଘୋଷଣା କରିଥିଲା।

ଦେବରାଜ ଗୌଡାଙ୍କ ବିରୋଧରେ ହାସନର ହୋଲେନାରସିପୁରର ଜଣେ ମହିଳା ଏପ୍ରିଲ ୧, ୨୦୨୪ରେ ଅଭିଯୋଗ କରିଥିଲେ। ଗୌଡା ତାଙ୍କ ସମ୍ପତ୍ତି ବିକ୍ରି କରିବାରେ ସାହାଯ୍ୟ କରିବା ବାହାନାରେ ତାଙ୍କୁ ୧୦ ମାସ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଥିଲେ ।

Exit mobile version