Site icon ଆଜିକାଲି

ବରଫାବୃତ୍ତ ଚାଦରରେ ଘୋଡ଼େଇ ହେଲା କେଦାରନାଥ ଧାମ, ତାପମାତ୍ରା ମାଇନସ୍‌ ୭ ଡିଗ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଶୀତ ଏବେ ନିଜର ପ୍ରକୋପ ଦେଖାଇବା ଆରମ୍ଭ କରିଛି। ପାହାଡ଼ ଉପରେ ହେଉଥିବା ତୁଷାରପାତ ବର୍ତ୍ତମାନ ସମତଳ ଅଞ୍ଚଳରେ ମଧ୍ୟ ଥଣ୍ଡା ବଢ଼ାଇ ଦେଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହେଉଛି। ପାଗ କୋହଲା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ, ହିମାଳୟ ପର୍ବତ ଶୃଙ୍ଖଳା ଉପରେ ବରଫ ଚାଦର ବିଛେଇ ହୋଇଯାଇଛି।

ଏଠାରେ ପ୍ରଥମ ହିମବର୍ଷା ହୋଇଛି। ଚମୋଲି, ଉତ୍ତରକାଶୀ, ପିଥୌରାଗଡ଼, ରୁଦ୍ରପ୍ରୟାଗ, ବାଗେଶ୍ୱର ଜିଲ୍ଲାର ଉପର ପାହାଡ଼ରେ ପ୍ରବଳ ତୁଷାରପାତ ହେତୁ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି। ମଙ୍ଗଳବାର ଅପରାହ୍ନରୁ ତୁଷାରପାତ ଲାଗିରହିଛି। ଫୁଲ ଉପତ୍ୟକା, ହେମକୁଣ୍ଡ ସାହିବ, ତୁଙ୍ଗନାଥ, ମଦ୍ମାହେଶ୍ୱର, ହର୍ସିଲ, ଉତ୍ତରକାଶୀ ଏବଂ ଔଲି ଅଞ୍ଚଳ ବରଫରେ ଆଚ୍ଛାଦିତ ହୋଇଛି।

ଆଜି କେଦାରନାଥ ଧାମର ତାପମାତ୍ରା ରହିଛି ମାଇନସ୍ ୭ ଡିଗ୍ରୀ। ଗଙ୍ଗୋତ୍ରୀ-ଯମୁନୋତ୍ରୀରେ ମଧ୍ୟ ପାରା ଶୂନ୍ୟରୁ ତଳକୁ ଖସି ଆସିଛି। ନିମ୍ନ ଅଞ୍ଚଳରେ ମେଘ ଆବରଣ ହେତୁ ଅତ୍ୟଧିକ ଥଣ୍ଡା ପଡ଼ିଛି। ଥଣ୍ଡା ଏତେ ବଢ଼ିଯାଇଛି ଯେ ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକମାନେ ବରଫ ତରଳାଇ ପାଣି ପିଉଛନ୍ତି। ଟ୍ୟାପ୍‌ରେ ମଧ୍ୟ ପାଣି ଜମିଯାଇଛି।

Exit mobile version