Site icon ଆଜିକାଲି

କେଜ୍ରିୱାଲଙ୍କୁ ଜୁନ୍ ୧ ଯାଏଁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ନିର୍ବାଚନୀ ପ୍ରଚାର ପାଇଁ ଜୁନ୍ ୧ ଯାଏଁ କେଜ୍ରିୱାଲଙ୍କୁ ଜାମିନ ମିଳିଛି । କେଜ୍ରିୱାଲଙ୍କ ନିର୍ବାଚନ ପ୍ରଚାର ଉପରେ କୌଣସି କଟକଣା ଲାଗିବ ନାହିଁ ବୋଲି କୋର୍ଟ କହିଛନ୍ତି। ଜୁନ୍ ୧ ପରେ ଆତ୍ମସମର୍ପଣ କରିବାକୁ ତାଙ୍କୁ କୁହାଯାଇଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲ ଗତ ୪୦ ଦିନ ଧରି ତିହାର ଜେଲରେ ବନ୍ଦୀ ଅଛନ୍ତି।

କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ମାମଲାରେ ମେ ୭ରେ ଶୁଣାଣି ଶେଷ ହୋଇଥିଲା। ଇଡି କେଜ୍ରିୱାଲଙ୍କୁ ଜାମିନ ଦେବାକୁ ବିରୋଧ କରିଥିଲା। ତେବେ ସୁପ୍ରିମକୋର୍ଟ କହିଥିଲେ ଯେ ନିର୍ବାଚନ ପ୍ରତି ୫ ବର୍ଷରେ ଅନୁଷ୍ଠିତ ହୁଏ। ଏହା ଏକ ଅସାଧାରଣ ପରିସ୍ଥିତି। କେଜ୍ରିୱାଲ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ। ପ୍ରଚାର ପାଇଁ ତାଙ୍କୁ ଅନୁମତି ଦିଆଯିବା ଉଚିିତ। ତେବେ ଜାମିନରେ ମୁକ୍ତ ହେଲେ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଥିଲେ ।

ମେ ୯ରେ କେଜ୍ରିୱାଲଙ୍କ ଜାମିନକୁ ବିରୋଧ କରି ସୁପ୍ରିମକୋର୍ଟରେ ଇଡି ଏକ ସତ୍ୟପାଠ ଦାଖଲ କରିଥିଲା। କେନ୍ଦ୍ରୀୟ ସଂସ୍ଥା ଯୁକ୍ତି କରିଥିଲା କି ‘କେଜ୍ରିୱାଲ ନିର୍ବାଚନ ଲଢ଼ୁ ନାହାଁନ୍ତି । ଏହା ପୂର୍ବରୁ କୌଣସି ନେତାଙ୍କୁ ପ୍ରଚାର ପାଇଁ ନ୍ୟାୟିକ ହାଜତରୁ ଜାମିନ ମିଳିନାହିଁ। ନିର୍ବାଚନ ପ୍ରଚାର କରିବା ମୌଳିକ ଅଧିକାର ନୁହେଁ |

କେଜ୍ରିୱାଲଙ୍କ ଲିଗାଲ ଟିମ୍ ଇଡି ସତ୍ୟପାଠରେ ଆପତ୍ତି ଉଠାଇ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ନିକଟରେ ଆଜି ଅଭିଯୋଗ କରିଥିଲା । ଇଡି ସତ୍ୟପାଠ ଆଇନର ଅବମାନନା ବୋଲି ବୋଲି କହିଥିଲା ଆପ୍। ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଆସିନଥିବା ବେଳେ ଅଦାଲତଙ୍କ ମଞ୍ଜୁରି ବିନା ଇଡି ଏହି ସତ୍ୟପାଠ ଦାଖଲ କରି ଆଇନର ଉଲ୍ଲଂଘନ କରିଛି ବୋଲି ଆପ୍ ଦାବି କରିଥିଲା।

ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ସେସନ୍ ସମ୍ପ୍ରତି ତିହାର ଜେଲରେ ବନ୍ଦୀ ଅଛନ୍ତି।

Exit mobile version