Site icon ଆଜିକାଲି

ଜୁଲାଇ ୧୨ ଯାଏଁ ବିଚାର ବିଭାଗୀୟ ହେପାଜତକୁ ଗଲେ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ଜୁଲାଇ ୧୨ ଯାଏଁ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି। ସିବିଆଇ କରିଥିବା ଆବେଦନ ଉପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆଜି ଏହି ରାୟ ଦେଇଛନ୍ତି। ଶୁଣାଣି ସମୟରେ ଅବକାଶକାଳୀନ ବିଚାରପତି ସୁନେନା ଶର୍ମା କହିଛନ୍ତି ଯେ ପୁଲିସ ରିମାଣ୍ଡ ଅବଧି ସରିବା ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ବ୍ୟତୀତ କୋର୍ଟ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।

ଆମ୍ ଆଦମୀ ପାର୍ଟି ସୁପ୍ରିମୋଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେବା ପାଇଁ କରିଥିବା ଆବେଦନ ଉପରେ ଜୁନ୍ ୨୬ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ତିନି ଦିନ ପାଇଁ ସିବିଆଇ ହେପାଜତକୁ ପଠାଇ ଦେଇଥିଲେ। ସେହିଦିନ ସିଏମ କେଜ୍ରିୱାଲଙ୍କୁ ସିବିଆଇ ଆନୁଷ୍ଠାନିକ ଭାବେ ଗିରଫ କରିଥିଲା ଯେତେବେଳେ ତାଙ୍କୁ ଅବକାଶକାଳୀନ ବିଚାରପତି ଅମିତାଭ ରାୱତଙ୍କ ନିକଟରେ ହାଜର କରାଯାଇଥିଲା।

ଅନ୍ୟପକ୍ଷରେ ମଦ ନୀତି ଦୁର୍ନୀତି ମାମଲାରେ ଜାମିନରେ ମୁକୁଳିବା ଉପରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଅନ୍ତରୀଣ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି ଆପ୍ ସୁପ୍ରିମୋ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଥିଲେ।

Exit mobile version