Site icon ଆଜିକାଲି

ଗିରଫ ବିରୋଧରେ ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ

ନୂଆଦିଲ୍ଲୀ:ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ତାଙ୍କ ଗିରଫ ବିରୋଧରେ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଅରବିନ୍ଦ କେଜ୍ରିୱାଲ ପ୍ରତ୍ୟାହାର କରି ନେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହୋଇଥିଲେ ମଧ୍ୟ କେଜ୍ରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି ।

ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିଥାନ୍ତେ । କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଖଣ୍ଡପୀଠକୁ କହିଥିଲେ ଯେ ଆଜି ଟ୍ରାଏଲ କୋର୍ଟରେ କେଜ୍ରିୱାଲଙ୍କ ରିମାଣ୍ଡ ଉପରେ ଶୁଣାଣି ହେବାର ଅଛି । ଟ୍ରାଏଲ କୋର୍ଟ ଓ ସୁପ୍ରିମକୋର୍ଟରେ ଶୁଣାଣି ପ୍ରାୟ ଏକା ସମୟରେ ହେଉଥିବା ଦୃଷ୍ଟିରୁ ଆବେଦନ ପ୍ରତ୍ୟାହାର କରିବାକୁ ସେ କୋର୍ଟଙ୍କୁ ଅନୁମତି ମାଗିଥିଲେ ।

ସେ କହିଥିଲେ ଯେ ରିମାଣ୍ଡ୍ ନେଇ ଶୁଣାଣି ଲାଗି କେଜ୍ରିୱାଲ ନିମ୍ନ ଅଦାଲତରେ ହାଜର ହେବା ପରେ ସେ ସୁପ୍ରିମକୋର୍ଟରେ ପୁଣି ତାଙ୍କ ଗିରଫ ବିରୋଧରେ ପିଟିସନ ଦାଖଲ କରିବେ। ଜଷ୍ଟିସ୍ ଖାନ୍ନା ସିଂଘଭିଙ୍କୁ ଏନେଇ ଅନୁମତି ଦେଇଥିଲେ।

ଅବକାରୀ ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଆପ୍ ଏହାକୁ ଚ୍ୟାଲେଞ୍ଜ କରି ଗୁରୁବାର ରାତିରେ ହିଁ ସୁପ୍ରିମକୋର୍ଟ ଯାଇଥିଲା । ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ଗିରଫରୁ ସୁରକ୍ଷା ଦେବାକୁ ମନା କରିଦେଇଥିଲେ । ଏହାର କିଛି ଘଣ୍ଟା ପରେ ଆପର ଜାତୀୟ ଆବାହକଙ୍କୁ ଗିରଫ କରିଥିଲା ଇଡି।

Exit mobile version