Site icon ଆଜିକାଲି

କେରଳ କମ୍ପାନୀ ତିଆରି କରୁଛି ଇସ୍ରାଏଲ ପୋଲିସ ପାଇଁ ୟୁନିଫର୍ମ

ଥିରୁଭନନ୍ତପୁରମ: ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ କେରଳର କନ୍ନୁର ଜିଲ୍ଲାର ଏକ କମ୍ପାନୀ ଇସ୍ରାଏଲ୍ ପୋଲିସ୍ ପାଇଁ ୟୁନିଫର୍ମ ତିଆରି କରୁଛି। ଏନେଇ ପ୍ରାୟ ୮ ବର୍ଷ ପୂର୍ବେ ଏହି କମ୍ପାନୀ ସହିତ ଚୁକ୍ତି କରିଥିଲା ଇସ୍ରାଏଲ । ସେବେଠାରୁ ପ୍ରତିବର୍ଷ ଏହି କମ୍ପାନୀ ଇସ୍ରାଏଲ ପୋଲିସକୁ ପ୍ରାୟ ଏକ ଲକ୍ଷ ୟୁନିଫର୍ମ ଯୋଗାଇ ଆସୁଛି |

କେରଳର କନ୍ନୁର ଜିଲ୍ଲା ହସ୍ତତନ୍ତ ଏବଂ ବୟନ ରପ୍ତାନି ପାଇଁ ପରିଚିତ | ୟୁନିଫର୍ମ ପ୍ରସ୍ତୁତକାରୀ କମ୍ପାନୀ ୨୦୦୬ରେ ଥିରୁବନନ୍ତପୁରମର କିନଫ୍ରା ପାର୍କରେ ଆରମ୍ଭ ହୋଇଥିଲା | ପରେ ସ୍ଥାନୀୟ ଲୋକଙ୍କୁ ରୋଜଗାର ଯୋଗାଇବା ଲକ୍ଷ୍ୟରେ ଏହା କନ୍ନୁରକୁ ସ୍ଥାନାନ୍ତର ହୋଇଥିଲା ।

ସମ୍ପ୍ରତି ପ୍ରାୟ ୧୫୦୦ କର୍ମଚାରୀ ଏଠାରେ କାମ କରନ୍ତି | ଏଥିମଧ୍ୟରୁ ୯୫ ପ୍ରତିଶତରୁ ଅଧିକ ମହିଳା। ଏହି କମ୍ପାନୀ ବିଶ୍ବର ବିଭିନ୍ନ ଦେଶର ସେନା କର୍ମଚାରୀ, ପୋଲିସ୍ ଏବଂ ସୁରକ୍ଷା ଅଧିକାରୀଙ୍କ ପାଇଁ ୟୁନିଫର୍ମ ତିଆରି କରି ପ୍ରସିଦ୍ଧି ହାସଲ କରିଛି ।

ସୁରକ୍ଷା ବାହିନୀ ପାଇଁ ୟୁନିଫର୍ମ ବ୍ୟତୀତ ଏହି କମ୍ପାନୀ ସ୍କୁଲ ଛାତ୍ର, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଏବଂ ସୁପରମାର୍କେଟ୍ କର୍ମଚାରୀଙ୍କ ପାଇଁ ମଧ୍ୟ ୟୁନିଫର୍ମ ପ୍ରସ୍ତୁତ କରିଥାଏ |

କମ୍ପାନୀର ମାଲିକ କହିଛନ୍ତି, ହାମାସ୍ ସହିତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ହିଁ ଇସ୍ରାଏଲ ଆମକୁ ନୂଆ ଅର୍ଡର ଦେଇ ସାରିଥିଲା । ପୋଲିସ ତାଲିମ ପାଇଁ କାର୍ଗୋ ପ୍ୟାଣ୍ଟ ଏବଂ ସାର୍ଟ ୟୁନିଫର୍ମ ସେଟ୍ କରିବାକୁ ଇସ୍ରାଏଲ୍ ଅର୍ଡର ଦେଇଛି ।

ଏଥିପାଇଁ କପଡ଼ା ତିଆରି କାମ ଚାଲିଛି | ନଭେମ୍ବର ଶେଷ କିମ୍ବା ଡିସେମ୍ବର ସୁଦ୍ଧା ସିଲେଇ ଆରମ୍ଭ କରିବାକୁ ଯୋଜନା ହେଉଛି। ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ପୋଲିସ ୟୁନିଫର୍ମ ଇସ୍ରାଏଲକୁ ପଠାଯିବ |

Exit mobile version