Site icon ଆଜିକାଲି

କେରଳ ରାଜ୍ୟପାଳଙ୍କ ସାଂଘାତିକ ଅଭିଯୋଗ, କହିଲେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ମୁଖ୍ୟମନ୍ତ୍ରୀ ବିଜୟନ

ଥିରୁବନନ୍ତପୁରମ୍: ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ବିଜୟନ ତାଙ୍କୁ ଶାରୀରିକ ଆଘାତ ଦେବା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟପାଳ।

ଦିଲ୍ଲୀ ଯିବା ପାଇଁ ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିବା ବେଳେ ସୋମବାର ତାଙ୍କ ଗାଡ଼ିକୁ ସିପିଆଇ-ଏମର ଛାତ୍ର ଶାଖା ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ)ର କର୍ମୀମାନେ ଧକ୍କା ଦେବା ପରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି ।

ଏହି ଘଟଣାରେ ରାଜ୍ୟପାଳ ତୀବ୍ର ଅସନ୍ତୋଷ ପ୍ରକାଶ କରି କାର ଭିତରୁ ବହାରି ଗଣମାଧ୍ୟମକୁ କହିଥିଲେ, ମୁଖ୍ୟମନ୍ତ୍ରୀ ବିଜୟନ ହିଁ ତାଙ୍କୁ ଶାରୀରିକ ଆଘାତ ଦେବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ କ’ଣ ପୋଲିସ ବିକ୍ଷୋଭକାରୀମାନଙ୍କୁ ଆସିବାକୁ ଅନୁମତି ଦେଇଥାନ୍ତା କି ବୋଲି ସେ ପ୍ରଶ୍ନ କରିଛନ୍ତିି ?

“ମୁଁ ସ୍ପଷ୍ଟ ଭାବେ କହୁଛି ଯେ ମୁଖ୍ୟମନ୍ତ୍ରୀ ହିଁ ଷଡ଼ଯନ୍ତ୍ର କରୁଛନ୍ତି । ସେ ଏହି ଲୋକମାନଙ୍କୁ ମୋତେ ଶାରୀରିକ ଭାବେ ଆଘାତ କରିବାକୁ ପଠାଉଛନ୍ତି। ଥିରୁବନନ୍ତପୁରମର ରାସ୍ତା ‘ଗୁଣ୍ଡାମାନଙ୍କ’ କବଜାରେ ରହିଛି ବୋଲି ‌ରାଜ୍ୟପାଳ ଆରିଫ ଖାନ୍ ଅଭିଯୋଗ କରିଛନ୍ତିି ।

ରାଜ ଭବନ ସୂତ୍ର ମୁତାବକ ଖାନଙ୍କୁ ତିନୋଟି ସ୍ଥାନରେ କଳା ପତାକା ଦେଖାଯାଇଥିଲା । ଦୁଇଟି ସ୍ଥାନରେ ତାଙ୍କ କାରକୁ ଧକ୍କା ଦିଆଯାଇଥିଲା। ଅନ୍ୟପକ୍ଷରେ ପୋଲିସ କହିଛି ଯେ ରାଜ୍ୟପାଳଙ୍କ ଗାଡ଼ିକୁ କେବଳ ଗୋଟିଏ ସ୍ଥାନରେ ଏସ୍ଏଫ୍ଆଇ କର୍ମୀ ଅଟକାଇଥିଲେ । ଏହି ଘଟଣାରେ ଏସ୍ଏଫ୍ଆଇର ୭ ଜଣଙ୍କୁ ଗିରଫ କରାଯାଇଛି।

ରାଜ୍ୟପାଳଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ଏବଂ ବିଜେପି ମୁଖ୍ୟମନ୍ତ୍ରୀ ବିଜୟନଙ୍କୁ ଦାୟୀ କରିଛନ୍ତି।

Exit mobile version