Site icon ଆଜିକାଲି

କେରଳ ଭୂସ୍ଖଳନ ଘଟଣା! ସପ୍ତାହେ ଆଗରୁ ଜାଣି ଚୁପ ବସିଥିଲେ ରାଜ୍ୟ ସରକାର : କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ : କେରଳ ଭୂସ୍ଖଳନରେ ୧୫୦ ଲୋକଙ୍କ ଜୀବନହାନି ହେବା ପରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସପ୍ତାହେ ଆଗରୁ ସତର୍କ ସୂଚନା ଦିଆଯିବା ସତ୍ବେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ପାହାଡ଼ ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତରଣ କରିବା ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଏତେ ଲୋକଙ୍କ ପ୍ରାଣହାନୀ ଘଟିଲା ବୋଲି ଶାହ ବୁଧବାର ରାଜ୍ୟ ସଭାରେ କହିଥିଲେ ।

ବୁଧବାର କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ବିବୃତି ଦେଇ କହିଛନ୍ତି ଯେ, ସମ୍ଭାଭ୍ୟ ଭୂସ୍ଖଳନ ନେଇ କେରଳ ସରକାରଙ୍କୁ ଜୁଲାଇ ୨୩ ତାରିଖରେ ସତର୍କ କରାଯାଇଥିଲା। ପାହାଡ଼ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ୭ ଦିନ ଆଗକୁ ଅବଗତ କରାଯାଇଥିଲା। ଏହା ପରେ ଜୁଲାଇ ୨୪ ଏବଂ ୨୫ ତାରିଖରେ ମଧ୍ୟ ପୁନର୍ବାର ସତର୍କ କରାଯାଇଥିଲା। ଜୁଲାଇ ୨୬ରେ ୨୦ ସେଣ୍ଟିମିଟରର ପ୍ରବଳ ବର୍ଷା ହେବ, ଯାହା ଦ୍ଵାରା ଭୂସ୍ଖଳନ ହୋଇପାରେ ବୋଲି ମଧ୍ୟ ଅବଗତ କରାଯାଇଥିଲା। ମାଟି ଅତଡ଼ା ଧସି ବର୍ଷାଜଳରେ ପ୍ରବାହିତ ହେବା ସହିତ ଲୋକେ ଜୀବନ ହରାଇପାରନ୍ତି ବୋଲି ଚେତାଇ ଦିଆଯାଇଥିଲା। ଏହା ସତ୍ବେ ରାଜ୍ୟ ସରକାର କିଛି ପଦକ୍ଷେପ ନେଲେ ନାହିଁ। ଓଲଟି ସଅଳ ସତର୍କତା ବ୍ୟବସ୍ଥା (ଅର୍ଲି ଓ୍ବାର୍ନିଂ ସିଷ୍ଟମ) ଉପରେ ପ୍ରଶ୍ନ କରାଯାଉଛି। ୨୦୧୪ ପରେ ଏହି ବ୍ୟବସ୍ଥାରେ ସୁଧାର ଆଣିବାକୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଶାହ କହିଛନ୍ତି।

ଶାହ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ସମାଲୋଚନା କରିବା ସହିତ ରାଜ୍ୟ ସରକାର ଚାହିଁଥିଲେ କେନ୍ଦ୍ର ସରକାରଙ୍କ ସତର୍କତା ପରେ ତ୍ଵରିତ ପଦକ୍ଷେପ ନେଇପାରିଥାନ୍ତେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୩ ତାରିଖରେ ସତର୍କତା ଜାରି ପରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୯ଟି ଏନଡିଆରଏଫ ଟିମ କେରଳ ପଠାଇଥିଲା। ଏହା ସତ୍ବେ ରାଜ୍ୟ ସରକାର ଚୁପ ରହିଲେ ବୋଲି ଶାହ କହିଛନ୍ତି।

Exit mobile version