Site icon ଆଜିକାଲି

ମଲ୍ଲିକାର୍ଜୁନ ଖଡ଼ଗେ ହୋଇପାରନ୍ତି ‘ଇଣ୍ଡିଆ’ ଆବାହକ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଆବାହକ ହୋଇପାରନ୍ତି । ମେଣ୍ଟ ସୂତ୍ରରୁ ଏହି ସୂଚନା ମିଳିଛି । ମୁମ୍ବାଇରେ ହେବାକୁ ଥିବା ବୈଠକରେ ‘ଇଣ୍ଡିଆ’ ଆବାହକ ଭାବେ ଖଡ଼ଗେଙ୍କ ନାମ ଘୋଷଣା କରାଯାଇପାରେ ।

ଖଡ଼ଗେ ଜଣେ ବରିଷ୍ଠ ଦଳିତ ଚେହେରା ଓ ତାଙ୍କ ରାଜନୈତିକ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଆବାହକ କରିବାକୁ ‘ଇଣ୍ଡିଆ’ ମେଣ୍ଟର ସବୁ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଆବାହକ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ସେ କୌଣସି ପଦ ଚାହୁଁ ନାହାଁନ୍ତି ବୋଲି ନୀତିଶ କହିଛନ୍ତି। ସୋମବାର ସେ କହିଥିଲେ ଯେ ଆମେ କିଛି ଚାହୁଁନାହୁଁ, ଆମେ କେବଳ ଲୋକଙ୍କୁ ଏକଜୁଟ କରିବାକୁ ଚାହୁଁଛୁ।

ଉଲ୍ଲେଖଯୋଗ୍ୟ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବୈଠକରେ ଏକ ୧୧ ଜଣିଆ ସମନ୍ୱୟ କମିଟି ମନୋନୀତ ହୋଇପାରେ। ନିକଟରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ସୂଚନା ଦେଇଥିଲେ ଯେ ଏହି ବୈଠକ ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବର ଦୁଇଦିନ ଅନୁଷ୍ଠିତ ହେବ।

‘ଇଣ୍ଡିଆ’ ମେଣ୍ଟର ଏହା ହେବ ତୃତୀୟ ବୈଠକ | ଏହାର ପ୍ରଥମ ବୈଠକ ଜୁନ୍ ୨୩ରେ ବିହାର ମୁଖ୍ୟମନ୍ତ୍ରୀ ପାଟନାରେ ଏବଂ ଦ୍ୱିତୀୟ ବୈଠକ ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା । ବେଙ୍ଗାଲୁରୁ ବୈଠକରେ ଯେଉଁଥିରେ ମେଣ୍ଟର ନାମ ‘ଇଣ୍ଡିଆ’ (ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁଜିଭ୍ ଆଲାଏନ୍ସ) ରଖାଯାଇଥିଲା। ଏଯାବତ୍ ଏହି ମେଣ୍ଟରେ ୨୬ ବିରୋଧୀ ଦଳ ସାମିଲ ହୋଇଛନ୍ତି ।

Exit mobile version