Site icon ଆଜିକାଲି

ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ନେଇ ଉଦୟନିଧିଙ୍କୁ ସମର୍ଥନ କଲେ କଂଗ୍ରେସ ସଭାପତି ଖଡ଼ଗେଙ୍କ ପୁଅ

ବେଙ୍ଗାଲୁରୁ : ସନାତନ ଧର୍ମ ବିରୋଧରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ସୃଷ୍ଟି ହୋଇଛି । ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ସହ ତୁଳନା କରି ଏହାର ମୂଳପୋଛ କରିବାକୁ ଆହ୍ବାନ ଦେଇଥିଲେ ।

ଗୋଟିଏ ପଟେ ବିଜେପି ତାଙ୍କ ମନ୍ତବ୍ୟ ନେଇ ଡିଏମକେ ଏବଂ ବିରୋଧୀ ଦଳ ଉପରେ ଆକ୍ରମଣ ତୀବ୍ର କରିଥିବା ବେଳେ ଅନ୍ୟପଟେ ଅନେକ ନେତା ଉଦୟନିଧି ଷ୍ଟାଲିନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ତଥା କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେ ମଧ୍ୟ ଉଦୟାନିଧି ଷ୍ଟାଲିନଙ୍କୁ ସମର୍ଥନ କରି ଏହି ବିବାଦରେ ଘିଅ ଢ଼ାଳିଛନ୍ତି । ସେ କହିଛନ୍ତି, ଯେକୌଣସି ଧର୍ମ ଯାହା ଆପଣଙ୍କୁ ସମାନ ଅଧିକାର ଦିଏ ନାହିଁ କିମ୍ବା ଆପଣଙ୍କୁ ମଣିଷ ପରି ବ୍ୟବହାର କରେନି ତାହା ଧର୍ମ ନୁହେଁ, ଏହି ଏକ ରୋଗ ସଦୃଶ ଅଟେ। ”

ପ୍ରିୟାଙ୍କ ଖଡ଼ଗେଙ୍କ ପୂର୍ବରୁ ଆରଜେଡି ନେତା ମନୋଜ ଝା ଏବଂ କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ବି ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ସମର୍ଥନ କରିଥିଲେ । ଉଦୟନିଧିଙ୍କ ମନ୍ତବ୍ୟ ନେଇ କାର୍ତ୍ତି ଚିଦାମ୍ବରମ୍ କହିଥିଲେ ଯେ ସନାତନ ଧର୍ମ ଏକ ଜାତି ଆଧାରିତ ସମାଜ ପାଇଁ ବିଧି ସଂହିତା ଛଡା ଆଉ କିଛି ନୁହେଁ। ଜାତି ହେଉଛି ଭାରତର ଅଭିଶାପ |

Exit mobile version