Site icon ଆଜିକାଲି

କଂଗ୍ରେସରୁ ଇସ୍ତଫା ଦେଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ, ବିଜେପିରେ ସାମିଲ ହେବା ସମ୍ଭାବନା

ହାଇଦ୍ରାବାଦ: ଅବିଭକ୍ତ ଆନ୍ଧ୍ର ପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ ଏନ୍ କିରଣ କୁମାର ରେଡ୍ଡୀ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଚିତ୍ତୂର ଜିଲ୍ଲାର ଚାରିଥର ବିଧାୟକ କିରଣ କୁମାର ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବା ସମ୍ଭାବନା ରହିଛି। ସୂଚନାନୁସାରେ କିରଣ କୁମାରଙ୍କୁ ରାଜ୍ୟରେ କିମ୍ବା ଜାତୀୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇପାରେ।

କଂଗ୍ରେସରେ ସେ ନିଜକୁ ଉପେକ୍ଷିତ ମନେ କରୁଥିଲେ । ଏହି କାରଣରୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ମାର୍ଚ୍ଚ ୧୧ରେ ସେ କଂଗ୍ରେସ ସଭାପତିଙ୍କୁ ଏକ ଚିଠିରେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ତାଙ୍କ ଇସ୍ତଫା ଗ୍ରହଣ କରାଯାଉ ବୋଲି ଅନୁରୋଧ କରିଥିଲେ । ତେବେ ସେ କାହିଁକି ଇସ୍ତଫା ଦେଲେ ତାହାର କାରଣ ଉଲ୍ଲେଖ କରିନଥିଲେ ।

କିରଣ କୁମାର ୧୯୮୯ରେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଭାୟଲପାଡୁରୁ କଂଗ୍ରେସ ଟିକେଟରେ ଜିତିଥିଲେ। ସେ ୧୯୯୯ ଏବଂ ୨୦୦୪ରେ ପୁଣି ସେହି ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ । ପରେ ୨୦୦୯ରେ ପିଲେରୁ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍ ରାଜାସେଖରା ରେଡ୍ଡୀଙ୍କ ଦୁଃଖଦ ମୃତ୍ୟୁ ଯୋଗୁଁ ଉପୁଜିଥିବା ନାଟକୀୟ ରାଜନୈତିକ ଘଟଣାକ୍ରମ ପରେ କିରଣ ରେଡ୍ଡୀ ୨୦୧୦ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ଆନ୍ଧ୍ରପ୍ରଦେଶର ବିଭାଜନ ନେଇ ତତ୍କାଳୀନ ୟୁପିଏ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରେଡ୍ଡୀ ୧୦ ମାର୍ଚ୍ଚ ୨୦୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିରଣ କୁମାର ରେଡ୍ଡୀ କଂଗ୍ରେସ ଠାରୁ ଅଲଗା ହୋଇଥିଲେ। ୨୦୧୪ ମସିହାରେ ସେ ‘ଜୟ ସାମିକ୍ୟ ଆନ୍ଧ୍ର’ ନାମରେ ନିଜର ଏକ ଦଳ ଗଠନ କରି ଲୋକସଭା ନିର୍ବାଚନ ଲଢ଼ିଥିଲେ । ତେବେ ସେଭଳି ସଫଳତା ନ ମିଳିବାରୁ କିରଣ କୁମାର ୨୦୧୮ରେ ପୁଣି କଂଗ୍ରେସକୁ ଫେରିଥିଲେ ।

Exit mobile version