Site icon ଆଜିକାଲି

କେକେଆର୍ ବିଜୟର ହିରୋ ହର୍ଷିତ ରାଣାଙ୍କୁ ଜୋରିମାନା, ଏହି କାରଣରୁ କଟିଲା ୬୦ ପ୍ରତିଶତ ମ୍ୟାଚ୍ ଫି

କୋଲକାତା: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଶେଷ ଓଭରରେ ରୋମାଞ୍ଚକ ବିଜୟ ଦେଇଥିବା ଯୁବ ଖେଳାଳି ହର୍ଷିତ ରାଣାଙ୍କୁ ହୋଇଛି ଜୋରିମାନା । ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନ ପାଇଁ ରାଣା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିପାଇଁ ତାଙ୍କ ୬୦ ପ୍ରତିଶତ ମ୍ୟାଚ୍ ଫି କଟିଛି । ସନରାଇଜର୍ସ ମୟଙ୍କ ଅଗ୍ରୱାଲ ଏବଂ ହେନରିକ୍ କ୍ଲାସେନଙ୍କ ୱିକେଟ୍ ନେବା ପରେ ହର୍ଷିତ ରାଣା ଅତି ଆକ୍ରମଣାତ୍ମକ ଢ଼ଙ୍ଗରେ ସେଲିବ୍ରେସନ୍ କରିଥିଲେ । ଅଗ୍ରୱାଲଙ୍କୁ ଆଉଟ୍ କରିବା ପରେ ସେ ତାଙ୍କୁ ଫ୍ଲାଇଙ୍ଗ କିସ୍ ଦେଇଥିବା ଅଭିଯୋଗ ହୋଇଥିଲା ।

ଏହି ଯୁବ ଫାଷ୍ଟ ବୋଲର ଶନିବାର ଆଇପିଏଲ୍ ୨୦୨୪ର ତୃତୀୟ ମ୍ୟାଚରେ କେକେଆର୍ ବିଜୟରେ ହିରୋ ସାଜିଥିଲେ । ସନରାଇଜର୍ସକୁ ଶେଷ ଓଭରରେ ବିଜୟ ପାଇଁ ୧୨ ରନ୍ ଆବଶ୍ୟକ ହେଉଥିଲା । ତେବେ ହର୍ଷିତ ଶେଷ ଓଭରରେ ବିପଜ୍ଜନକ କ୍ଲାସେନଙ୍କୁ ଆଉଟ୍ କରିବା ସହ ସହ ଦୁଇଟି ଓ୍ବିକେଟ୍ ନେଇଥିଲେ ଓ ମାତ୍ର ୮ ରନ୍ ବ୍ୟୟ କରି କେକେଆରକୁ ୪ ରନର ରୋମାଞ୍ଚକର ବିଜୟ ଦେଇଥିଲେ । ତେବେ ଏହି ମ୍ୟାଚରେ ତାଙ୍କ ଆଚରଣ ରାଣାଙ୍କ ମ୍ୟାଚ୍ ବିଜୟୀ ପ୍ରଦର୍ଶନକୁ ଫିକା କରିଦେଇଛି।

ଆଇପିଏଲ ତରଫରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ହର୍ଷିତ ରାଣା ଆଇପିଏଲ ଆଚରଣ ସଂହିତାର ଧାରା ୨.୫ ଅନୁଯାୟୀ ଦୁଇଟି ଲେବଲ-୧ ଅପରାଧ କରିଛନ୍ତି । ଏଥିପାଇଁ ତାଙ୍କୁ ଯଥାକ୍ରମେ ୧୦ ଓ ୫୦ ପ୍ରତିଶତ ଜରିମାନା କରାଯାଇଛି। ରାଣା ମ୍ୟାଚ୍ ରେଫରିଙ୍କ ଦଣ୍ଡାଦେଶ ଗ୍ରହଣ କରିଛନ୍ତିି ବୋଲି କୁହାଯାଇଛି ।

Exit mobile version