Site icon ଆଜିକାଲି

ପ୍ରଥମ ଦଳ ଭାବେ ପ୍ଲେ ଅଫରେ କେକେଆର୍

କୋଲକାତା: ସ୍ପିନର ସୁନୀଲ ନାରାୟଣ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଶନିବାର ଏଠାରେ ବର୍ଷା ବାଧାପ୍ରାପ୍ତ ଆଇପିଏଲ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନରେ ହରାଇ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି ।

ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଓଭର ସଂଖ୍ୟା ୨୦ରୁ ୧୬କୁ ହ୍ରାସ କରାଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି କେକେଆରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ମୁମ୍ବାଇ ଦଳ ଶୃଙ୍ଖଳିତ ବୋଲିଂ କରିଥିବା ବେଳେ କେକେଆର୍ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ୍ ହରାଇ ୧୫୭ ରନ୍ କରିଥିଲା। ଦଳ ପକ୍ଷରୁ ଭେଙ୍କଟେଶ ଆୟର ୨୧ଟି ବଲରେ ୪୨ ରନ୍ କରିଥିଲେ ।

ଏହି ବିଜୟ ଲକ୍ଷ୍ୟ ଜବାବରେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ପାଞ୍ଚ ଥର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ବିସ୍ଫୋରକ ଷ୍ଟାର୍ଟ କରି ଏକଦା ୬.୪ ଓଭରରେ ବିନା କୌଣସି କ୍ଷତିରେ ୬୫ ରନ୍ କରିଥିଲା। ତେବେ କେକେଆରର ଷ୍ଟାର ସ୍ପିନର ନାରାୟଣ, ଇଶାନ କିଶନ (୨୨ ବଲ, ୪୦ ରନ)ଙ୍କ ଦ୍ବାରା ମୁମ୍ବାଇକୁ ମିଳିଥିବା ବିସ୍ଫୋରକ ଷ୍ଟାର୍ଟକୁ ରୋକିଥିଲେ।

ଚକ୍ରବର୍ତ୍ତୀ ୧୭ ରନ୍ ଦେଇ ୨ଟି ୱିକେଟ୍ ନେଇଥିବା ବେଳେ ରସେଲ୍ ୩୪ ରନ୍ ବ୍ୟୟ କରି ଦୁଇଟି ୱିକେଟ୍ ନେଇଥିଲେ। ଫଳ ସ୍ବରୂପ କେକେଆର୍ ୧୩ ତମ ଓଭର ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲା । ମୁମ୍ବାଇ ୧୬ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୩୯ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ହର୍ଷିତ ରାଣା ୩୪ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିବାବେଳେ ନାରାୟଣ ୨୧ ରନ୍ ଦେଇ କିଶନଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।

ଦୁଇଥର ବିଜେତା କେକେଆର୍ ଆହୁରି ଦୁଇଟି ମ୍ୟାଚ୍ ବାକି ଥାଇ ପ୍ଲେ ଅଫରେ ସ୍ଥାନ ନିଶ୍ଚିତ କରିଛି । ଦଳ ୧୮ ପଏଣ୍ଟ ସହ ୧୦ ଟିମ୍ ବିଶିଷ୍ଟ ଟେବୁଲର ଶୀର୍ଷରେ ନିଜ ସ୍ଥିତି ସୁଦୃଢ଼ କରିନେଇଛି | ୨୦୨୧ ପରେ କେକେଆର୍ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ଖେଳିବ। ଦଳ ଶୀର୍ଷ-୨ ସ୍ଥାନରେ ରହିବାକୁ ଚେଷ୍ଟା କରିବ । ଶ୍ରେୟାସ ଆୟରଙ୍କ ଦଳ ପରବର୍ତ୍ତୀ ମ୍ୟାଚରେ ସୋମବାର ଗୁଜରାଟ ଟାଇଟନ୍ସ ଏବଂ ମେ ୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ।

ଅନ୍ୟପକ୍ଷରେ ୧୩ଟି ମ୍ୟାଚରେ ମୁମ୍ବାଇର ଏହା ନବମ ପରାଜୟ । ଦଳ ମେ ୧୭ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ ସହିତ ନିଜ ଅଭିଯାନ ଶେଷ କରିବ |

Exit mobile version