Site icon ଆଜିକାଲି

ବିନା ଶତକରେ ୧୦୦୦ ଦିନ ବିତାଇଲେ କୋହଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । ଇତିମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ବିନା ଶତକରେ ଆଜି ୧୦୦୦ ଦିନ ପୂରଣ ହୋଇଛି । କୋହଲି ନିଜର ଶେଷ ଶତକ ୨୦୧୯ ନଭେମ୍ବର ୨୩ରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ (୧୩୬) ଅର୍ଜନ କରିଥିଲେ । ଏହା କୋହଲିଙ୍କ ୭୦ତମ ଅନ୍ତର୍ଜାତୀୟ ଶତକ ଥିଲା। ମାତ୍ର ଏହା ପରେ ତାଙ୍କ ପାଇଁ ବିଫଳତାର ସମୟ ଆରମ୍ଭ ହୋଇଥିଲା । ଶେଷ ଶତକ ହାସଲ କରିବା ପରେ ସେ ୧୮ ଟେଷ୍ଟ ଖେଳି ୬ ଅର୍ଦ୍ଧଶତକ ସହିତ ୮୭୨ ରନ କରିଛନ୍ତି । ଏଥିରେ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ଥିଲା ୭୯ ରନ ।

ସେହିପରି ଶେଷ ଟେଷ୍ଟ ଶତକ ଅର୍ଜନ କରିବା ପରେ ୫୦ ଓଭର ବିଶିଷ୍ଟ ଦିନିକିଆ ଫର୍ମାଟରେ ୨୩ ଦିନିକିଆ ଖେଳି ୧୦ ଅର୍ଦ୍ଧଶତକ ସହିତ ୮୨୪ ରନ କରିଛନ୍ତି । ଏଥିରେ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ଥିଲଶ ୮୯ ରନ । ଏହା ବ୍ୟତିତ ବାଂଲାଦେଶ ବିକ୍ଷ ଶତକୀୟ ଇନିଂସ ପରେ ୨୭ ଟି-୨୦ ମ୍ୟାଚ ଖେଳି ୮ ଅର୍ଦ୍ଧଶତକ ବଳରେ ୮୫୮ ରନ ସଂଗ୍ରହ କରି ଥିବା ବେଳେ ଅପରାଜିତ ୯୪ ରନ ହେଉଛି ବ୍ୟକ୍ତିଗତ ସର୍ବାଧିକ ସ୍କୋର । ତେଣୁ ୨୦୧୯ ନଭେମ୍ବର ୨୩ ତାରିଖ ପରଠାରୁ କୋହଲି ଭାରତ ପାଇଁ ତିନି ଫର୍ମାଟରେ ମୋଟ ୬୮ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୪ ଅର୍ଦ୍ଧଶତକ ସହିତ ମ୍ୟାଚ ପିଛା ୩୪.୦୫ ହାରରେ ୨,୫୫୪ ରନ ସଂଗ୍ରହ କରିଛନ୍ତି । ଚଳିତ ବର୍ଷ ସବୁଠାରୁ ଦୂର୍ବଳ ପ୍ରଦର୍ଶନ କରି ୧୬ ମ୍ୟାଚର ୧୯ ଇନିଂସରେ ୪ ଅର୍ଦ୍ଧଶତକ ସହିତ ମୋଟ ୪୭୬ ରନ କରିଛନ୍ତି । ତେଣୁ ତାଙ୍କର ବିଫଳତା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇ ଥିବା ବେଳେ ଆଗାମୀ ଦିନରେ କେବେ ପୁଣି ଶତକ ଅର୍ଜନ କରିବେ ତାହା ଅପେକ୍ଷାର ବିଷୟ । ଚଳିତ ମାସ ଶେଷ ଆଡକୁ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପରେ ନିଜର ଦୁର୍ବଳ ଫର୍ମରେ ସୁଧାର ଆଣି ପାରିବେ ବୋଲି ଅନୁମାନ ।

Exit mobile version