Site icon ଆଜିକାଲି

କୋହଲିଙ୍କ ୭୧ତମ ଶତକ: ବିଜୟ ସହ ଏସିଆ କପ୍ ଅଭିଯାନ ଶେଷ କଲା ଭାରତ

ଦୁବାଇ: ତିନି ବର୍ଷ ପରେ ବିରାଟ କୋହଲିଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ଓ ଭୁବନେଶ୍ୱର କୁମାରଙ୍କ ପାଞ୍ଚ ୱିକେଟ୍ ସଫଳତା ବଳରେ ଭାରତ ଏସିଆ କପରେ ନିଜ ଶେଷ ସୁପର-୪ ମ୍ୟାଚରେ ଆଫଗାନିସ୍ତାନକୁ ୧୦୧ ରନରେ ହରାଇଛି । ଏହି ସାନ୍ତ୍ୱନାମୂଳକ ବିଜୟ ସହ ଭାରତର ଅଭିଯାନ ଶେଷ ହୋଇଛି । କୋହଲି ତାଙ୍କ ଶତକ ମରୁଡ଼ିର ଅନ୍ତ ଘଟାଇ ଚିତ୍ତାକର୍ଷକ ୧୨୨ ରନ କରିଥିବା ବେଳେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଓଭରରେ ୨ ୱିକେଟ୍ ହରାଇ ୨୧୨ ରନର ବିଶାଳ ସ୍କୋର କରିଥିଲା । ଅନ୍ତର୍ଜାତୀୟ ଟି୨୦ରେ କୋହଲିଙ୍କ ଏହା ପ୍ରଥମ ଏବଂ ଓଭରଅଲ୍ ୭୧ତମ ଶତକ । ଏହାର ଜବାବରେ ଆଫଗାନିସ୍ତାନ ଆରମ୍ଭରୁ ନିୟମିତ ୱିକେଟ୍ ହରାଇଥିଲା ଏବଂ ୮ ୱିକେଟ ବିନିମୟରେ ୧୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଭୁବନେଶ୍ୱର ମାତ୍ର ୪ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ । ଆଫଗାନିସ୍ତାନ ପକ୍ଷରୁ ଇବ୍ରାହିମ ଜାଦ୍ରାନ ସର୍ବାଧିକ ୬୪ ରନ୍ କରି ଅପରାଜିତ ରହିଥିଲେ । ଜାଦ୍ରାନଙ୍କୁ ଛାଡ଼ି ଆଫଗାନିସ୍ତାନର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ ।

ପୂର୍ବରୁ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ରୋହିତ ଶର୍ମା ଖେଳୁ ନଥିବାରୁ କାମଚଳା ଅଧିନାୟକ କେଏଲ ରାହୁଲଙ୍କ ସହ ବିରାଟ କୋହଲି ଇନିଂସ ଆରମ୍ଭ କରିଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ୱିକେଟ ପାଇଁ ରାହୁଲ ଓ ବିରାଟ ୧୨.୪ ଓଭରରେ ୧୧୨ ରନ ଯୋଡ଼ିଥିଲେ। ଏହି ସମୟରେ ୪୧ ବଲରେ ୬୨ ରନ କରିଥିବା ରାହୁଲଙ୍କୁ ଫରୀଦ ଅହମଦ ଆଉଟ କରିଦେଇଥିଲେ। ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଆସିବା ମାତ୍ରେ ପ୍ରଥମ ବଲରେ ଛକା ମାରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ଋଷଭ ପନ୍ତଙ୍କୁ ସାଥୀ କରି ବିରାଟ ଦମଦାର ବ୍ୟାଟିଂ କରିବା ସହ ଶେଷ ଯାଏ ଭାରତକୁ ଆଉ କୌଣସି କ୍ଷମତି ସହିବାକୁ ଦେଇ ନଥିଲା। ୧୯ତମ ଓଭରରେ ସେ ୧୦୦ ରନ ପୂରଣ କରିବା ପରେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ଶେଷ ଓଭର ବୋଲିଂ କରୁଥିବା ଫଜଲହକ ଫାରୁକୀଙ୍କୁ ବିରାଟ ୨ଟି ଛକା ଓ ଗୋଟିଏ ଚୌକା ମାରିଥିଲେ।

ସେ ଶେଷ ଯାଏ ୬୧ ବଲରେ ୧୨୨ ରନ କରି ଅପରାଜିତ ରହିଥିଲେ। ଏହି ଇନିଂସରେ ସେ ୧୨ଟି ଚୌକା ଓ ୬ଟି ଛକା ମାରିଥିଲେ। ତାଙ୍କ ସହ ପନ୍ତ ଶେଷ ଯାଏ ୧୬ ବଲରେ ୨୦ ରନ କରି ଅପରାଜିତ ରହିଥିଲେ। ୨୦୧୯ ନଭେମ୍ବର ପରେ କୋହଲିଙ୍କ ଏହା ପ୍ରଥମ ଅନ୍ତର୍ଜାତୀୟ ଶତକ ଓ ଓଭରଅଲ୍ ୭୧ତମ ଶତକ । ସେ ଶେଷଥର ପାଇଁ ୨୦୧୯ ମସିହା ନଭେମ୍ବର ମାସରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିଲେ। ଅନ୍ତର୍ଜାତୀୟ ଟି-୨୦ରେ ଏହା କୋହଲିଙ୍କ ପ୍ରଥମ ଶତକ । ଏହାଛଡା କୋହଲିଙ୍କ ୧୨୨ ରନ୍ ହେଉଛି ଅନ୍ତର୍ଜାତୀୟ ଟି-୨୦ରେ ଭାରତ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ । ଏଥିସହ କୋହଲି ସାଥୀ ଖେଳାଳି ରୋହିତ ଶର୍ମା (୧୧୮)ଙ୍କୁ ଟପିଛନ୍ତି ।

Exit mobile version