Site icon ଆଜିକାଲି

କ୍ରୁନାଲ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ଶୋ, ସନରାଇଜର୍ସକୁ ହରାଇଲା ସୁପର ଜାଏଣ୍ଟସ

ଲକ୍ଷ୍ନୌ: ଆଇପିଏଲ୍ ୨୦୨୩ର ଦଶମ ମ୍ୟାଚରେ ଶୁକ୍ରବାର ଲକ୍ଷ୍ନୌ ସୁପର ଜାଏଣ୍ଟସ ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କରିଛି | ଲକ୍ଷ୍ନୌର ବିଜୟରେ କ୍ରୁନାଲ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବୋଲିଂ ପରେ ସେ ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ପାଣ୍ଡ୍ୟା ୩ ୱିକେଟ୍ ନେବା ସହ ୩୪ ରନ୍ କରିଥିଲେ। ଚଳିତ ସିଜନରେ ହାଇଦ୍ରାବାଦର ଏହି କ୍ରମାଗତ ଦ୍ୱିତୀୟ ପରାଜୟ ଥିଲା। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୨୨ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଲକ୍ଷ୍ନୌ ମାତ୍ର ୧୬ ଓଭରରେ ମ୍ୟାଚ ଜିତି ନେଇଥିଲା । ଲକ୍ଷ୍ନୌର‌ ଏହା ଦ୍ବିତୀୟ ବିଜୟ ।

୧୨୨ ରନର ଜବାବରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଅଧିନାୟକ କେ.ଏଲ୍ ରାହୁଲ ଓ କାଜଲ ମାୟର୍ସ ପ୍ରଥମ ୱିକେଟ୍ ପାଇଁ ଦ୍ରୁତ ୩୫ ରନ ଯୋଡ଼ିଥିଲେ । ମେୟର ବ୍ୟକ୍ତିଗତ ୧୩ ରନର ସ୍କୋରରେ ଫାଜହଲ ଫାରୁକିଙ୍କ ଶିକାର ହୋଇଥିଲେ । ପୁଣି ୪୫ ସ୍କୋରରେ ଲକ୍ଷ୍ନୌ ଦଳକୁ ଦୀପକ ହୁଡାଙ୍କ ରୂପରେ ଆଉ ଏକ ଝଟକା ଲାଗିଥିଲା । ସେ ମାତ୍ର ୭ ରନ୍ କରି ଭୁବନେଶ୍ୱର କୁମାରଙ୍କ ବଲରେ ଆଉଟ୍ ହୋଇଥିଲେ।

ଏଠାରୁ ଅଧିନାୟକ କେ.ଏଲ୍ ରାହୁଲଙ୍କ ସହ ମିଶି କ୍ରୁନାଲ ପାଣ୍ଡ୍ୟା ତୃତୀୟ ୱିକେଟ୍ ପାଇଁ ୩୮ ବଲରେ ୫୫ ରନର ଭାଗିଦାରୀ ସହ ଦଳକୁ ବିଜୟ ଆଡ଼କୁ ନେଇଥିଲେ । ଏହି ମ୍ୟାଚ୍‌ରେ କେଏଲ ରାହୁଲ ୩୫ ରନ୍ ସଂଗ୍ରହ କରିଥିବାବେଳେ କ୍ରୁନାଲ ପାଣ୍ଡ୍ୟା ୨୪ ରନ୍ କରିଥିଲେ। ଲକ୍ଷ୍ନୌ ଦଳ ୧୬ତମ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ହାଇଦ୍ରାବାଦ ପକ୍ଷରୁ ଆଦିଲ ରସିଦ ୨ଟି ୱିକେଟ୍ ନେଇଥିବାବେଳେ ଫାରୁକି, ଉମ୍ରାନ ଏବଂ ଭୁବନେଶ୍ୱର କୁମାର ୧-୧ ୱିକେଟ୍ ନେଇଥିଲେ ।

ନୂଆ କ୍ୟାପଟେନ ଏଡେନ ମାର୍କ୍ରମ ଫେରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ସ୍ପିନର କ୍ରୁନାଲ ସନରାଇଜର୍ସ ଟପ୍ ଅର୍ଡରକୁ ଘାଇଲା କରିଥିଲେ । ସେ ପ୍ରଥମେ ଓପନର ମୟଙ୍କ ଅଗ୍ରୱାଲ (୮)ଙ୍କୁ ଆଉଟ୍ କରିଥିଲେ । ଏହାପରେ ଅନମୋଲପ୍ରୀତ ସିଂ ଓ ରାହୁଲ ତ୍ରିପାଠୀ ଦଳୀୟ ସ୍କୋରକୁ ୫୦ରେ ପହଞ୍ଚାଇଥିଲେ । ତେବେ ଅନମୋଲପ୍ରୀତଙ୍କୁ ଆଉଟ୍ କରି କ୍ରୁନାଲ ପୁଣି ଏହି ଯୋଡ଼ି ଭାଙ୍ଗିଥିଲେ ।

ଅନମୋଲପ୍ରୀତ ୨୬ଟି ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହ ୩୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଏହାପରେ କ୍ୟାପଟେନ ମାର୍କ୍ରମ୍ କ୍ରିଜକୁ ଓହ୍ଲାଇଥିଲେ । ଚଳିତ ଆଇପିଏଲରେ ଏହା ତାଙ୍କର ପ୍ରଥମ ମ୍ୟାଚ୍ ଥିଲା । କିନ୍ତୁ ଏହି ଦକ୍ଷିଣ ଆଫ୍ରିକା ବ୍ୟାଟର ଖାତା ଖୋଲିନପାରି କ୍ରୁନାଲଙ୍କ ତୃତୀୟ ଶିକାର ହୋଇଥିଲେ । କ୍ରୁନାଲ ତାଙ୍କୁ କ୍ଲିନ୍ ବୋଲ୍ଡ କରି ସନରାଇଜର୍ସକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ।

ଇଂଲଣ୍ଡର ଉଦୀୟମାନ ଷ୍ଟାର ହ୍ୟାରି ବ୍ରୁକ୍ ଚଳିତ ଆଇପିଏଲର ଅନ୍ୟତମ ମହଙ୍ଗା ଖେଳାଳି । ତାଙ୍କ ଠାରୁ ବଡ଼ ପାଳି ଆଶା କରାଯାଉଥିଲା । କିନ୍ତୁ ସେ ମଧ୍ୟ ଫେଲ୍ ମାରିଥିଲେ । ସେ ମାତ୍ର ୩ ରନ୍ କରି ରବି ବିଷ୍ଣୋଇଙ୍କ ଶିକାର ହୋଇଥିଲେ ।

ସନରାଇଜର୍ସ ମାତ୍ର ୫୫ ରନରେ ୪ଟି ୱିକେଟ୍ ହରାଇ ସଂଘର୍ଷ କରୁଥିବା ବେଳେ ତ୍ରିପାଠିଙ୍କ ସହ ମିଶି ୱାଶିଂଟନ ସୁନ୍ଦର ଦଳୀୟ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । କିନ୍ତୁ ଉଭୟଙ୍କୁ ଖୋଲାଖୋଲି ରନ୍ କରିବାକୁ ସୁଯୋଗ ଦେଇନଥିଲେ ଲକ୍ଷ୍ନୌ ବୋଲର ।

ଉଭୟ ପଞ୍ଚମ ୱିକେଟରେ ୩୯ ରନ୍ ଯୋଗ କରିଥିଲେ । ତ୍ରିପାଠି ୧୮ତମ ଓଭରରେ ଆଉଟ୍ ହୋଇଥିଲେ । ସେତେବେଳକୁ ଦଳର ସ୍କୋର ୧୦୦ ରନ୍ ମଧ୍ୟ ଛୁଇଁନଥିଲା । ପରବର୍ତ୍ତୀ ଓଭରରେ ସୁନ୍ଦର ପ୍ୟାଭିଲିୟନ୍ ଫେରିଥିଲେ । ତାଙ୍କୁ ମିଶ୍ରା ଆଉଟ୍ କରିଥିଲେ । ସୁନ୍ଦର ୨୮ଟି ବଲ୍ ଖେଳିଥିଲେ ମଧ୍ୟ ୧୬ ରନ୍ କରି ଆଉଟ୍ ହୋଇଥିଲେ । ଅବଦୁଲ ସମଦ୍ ଶେଷ ଦୁଇ ଓଭରରେ କିିଛି ବଡ଼ ସଟ୍ ଖେଳିବାରୁ ସନରାଇଜର୍ସ ୧୨୦ ରନ୍ ଅତିକ୍ରମ କରିଥିଲା । ସମଦ୍ ୧୦ଟି ବଲରେ ଗୋଟିଏ ଚୌକା ଓ ୨ଟି ଛକା ସହ ଅପରାଜିତ ୨୧ ରନ୍ କରିଥିଲେ । ଲକ୍ଷ୍ନୌ ପକ୍ଷରୁ କ୍ରୁନାଲ ୩ଟି ଓ ମିଶ୍ରା ୨ଟି ୱିକେଟ୍ ନେଇଥିଲେ ।

Exit mobile version