Site icon ଆଜିକାଲି

ଟି-୨୦ରେ ଇତିହାସ ରଚିଲେ କୁଲଦୀପ ଯାଦବ, ହେଲେ ପ୍ରଥମ ଭାରତୀୟ ବୋଲର

ଗୁଏନା : ଭାରତର ସ୍ପିନର କୁଲଦୀପ ଯାଦବ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟି-୨୦ରେ ଶାଣିତ ବୋଲିଂ କରିଛନ୍ତି। ନିଜର ୪ ଓଭର ବୋଲିଂରେ କୁଲଦୀପ ୨୮ ରନ ଦେଇ ୩ଟି ଗୁରୁତ୍ଵପୂର୍ଣ୍ଣ ଓ୍ଵିକେଟ୍ ନେଇଛନ୍ତି। ୩ ଇଣ୍ଡିଜ ବ୍ୟାଟରଙ୍କ ଶିକାର କରିବା ସହ କୁଲଦୀପ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୫୦ ଓ୍ଵିକେଟ୍ ପୂରଣ କରି ଇତିହାସ ରଚିଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟରେ ଭାରତୀୟ ବୋଲର ହିସାବରେ ଦ୍ରୁତତମ (ଇନିଂସ ହିସାବରେ) ୫୦ ଓ୍ଵିକେଟ୍ ନେଇ ୟୁଜବେନ୍ଦ୍ର ଚହଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଚହଲ ୨୦୧୯ ନଭେମ୍ବରରେ ଏହି ରେକର୍ଡ କରିଥିଲେ।

କୁଲଦୀପ ମାତ୍ର ୨୯ଟି ଟି-୨୦ରେ ୫୦ ଓ୍ଵିକେଟ୍ ପୂରଣ କରିଛନ୍ତି। ସେ ୨୦୧୭ରେ ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିଥିଲେ। ଚହଲ ୩୪ଟି ଇନିଂସରେ ୫୦ ଓ୍ଵିକେଟ୍ ନେଇଥିବା ବେଳେ କୁଲଦୀପ ୨୯ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ଏହି ତାଲିକାରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ୪୧ଟି ଇନିଂସରେ ୫୦ ଓ୍ଵିକେଟ୍ ହାସଲ କରିଛନ୍ତି। ଚହଲ ବର୍ତ୍ତମାନ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଭାରତ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର।

Exit mobile version