Site icon ଆଜିକାଲି

ଲାଲୁ ଓ ସମ୍ପର୍କୀୟଙ୍କୁ ଆଶ୍ୱସ୍ତି, ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ମିଳିଲା ଜାମିନ

ପାଟନା: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ ଓ ତାଙ୍କ ସମ୍ପର୍କୀୟଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପତ୍ନୀ ରାବଡୀ ଦେବୀ, ଝିଅ ମିସା ଭାରତୀ ଓ ପୁଅ ତେଜସ୍ୱୀ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସମସ୍ତଙ୍କୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଚାକିରି ବଦଳରେ ଜମି ମାମଲାରେ ଲାଲୁ ଯାଦବ ଏବଂ ରାବଡୀ ଦେବୀଙ୍କ ବ୍ୟତୀତ ଅନ୍ୟ ୬ ଅଭିଯୁକ୍ତ ଜାମିନ ଆବେଦନ କରିଥିଲେ, ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି । ଗତ ଶୁଣାଣିରେ କୋର୍ଟ ଲାଲୁ, ରାବଡୀ, ତେଜସ୍ୱୀ ଓ ଅନ୍ୟ ୧୭ ଅଭିଯୁକ୍ତଙ୍କୁ ସମନ୍ ଜାରି କରିଥିଲେ ଓ ଅକ୍ଟୋବର ୪ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ସମନ ଅନୁଯାୟୀ କୋର୍ଟରେ ହାଜର ହେବା ପରେ ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଗୀତାଞ୍ଜଳି ଗୋୟଲ ଅଭିଯୁକ୍ତଙ୍କୁ ଏହି ଆଶ୍ବସ୍ତି ଦେଇଛନ୍ତି । ଚାର୍ଜସିଟ୍ ଦାଖଲ ପରେ କୋର୍ଟ ସେପ୍ଟେମ୍ବର ୨୨ରେ କହିଥିଲେ ଯେ ଅଭିଯୁକ୍ତଙ୍କୁ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଠକେଇ ଏବଂ ଜାଲିଆତି ନେଇ ପ୍ରମାଣ ରହିଛି ।

ସିବିଆଇ ଏହି ମାମଲାରେ ଘଟଣାରେ ଜୁଲାଇ ୩ରେ ଦ୍ବିତୀୟ ଚାର୍ଜସିଟ୍ ଦାଖଲ କରିଥିଲା। ପ୍ରଥମ ଚାର୍ଜସିଟରେ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଅଭିଯୁକ୍ତ ଭାବରେ ନାମିତ କରାଯାଇଥିଲା ।

ଲାଲୁ ଯାଦବ ୨୦୦୪-୨୦୦୯ ଯାଏଁ ୟୁଏପିଏ ସରକାରରେ କେନ୍ଦ୍ର ରେଳମନ୍ତ୍ରୀ ଥିବାବେଳେ ରେଳବାଇ ଗ୍ରୁପ୍ ଡି’ ଚାକିରି ପାଇଁ ଲାଲୁ ପରିବାର ଲାଞ୍ଚ ଭାବେ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଜମି ନେଇଥିଲେ। ଲାଲୁଙ୍କ ସହ ତାଙ୍କର ଅନେକ ପରିବାର ସଦସ୍ୟଙ୍କ ମଧ୍ୟ ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଲାଲୁ ଯାଦବ ପ୍ରଥମେ ପ୍ରାର୍ଥୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରୁଥିଲେ। ଜମି ଡିଲ୍ ଚୂଡ଼ାନ୍ତ ହେବା ପରେ ସେମାନଙ୍କୁ ନିୟମିତ କରାଯାଉଥିଲା। ଏହି ଚାକିରି ପାଇଁ କୌଣସି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯାଇନଥିଲା ।

Exit mobile version