Site icon ଆଜିକାଲି

ଚାକିରି ପାଇଁ ଜମି ମାମଲା: ଆଜି ସିବିଆଇ କୋର୍ଟରେ ହାଜର ହେବେ ଲାଲୁ ଓ ପରିବାର

ପାଟଣା: ଚାକିରି ପାଇଁ ଜମି ମାମଲାରେ ଆଜି ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ଏବଂ ଝିଅ ମିସା ଭାରତୀ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇପାରନ୍ତି । ଏହି ମାମଲାରେ କୋର୍ଟ ଫେବୃଆରୀ ୨୭ରେ ଏନେଇ ସମସ୍ତ ୧୬ ଅଭିଯୁକ୍ତଙ୍କୁ ହାଜର ହେବାକୁ ସମନ ଜାରି କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ୨୦୦୪ ରୁ ୨୦୦୯ ମଧ୍ୟରେ ରେଳ ମନ୍ତ୍ରୀ ଥିବାବେଳେ ଲାଲୁ ଯାଦବ ଏବଂ ତାଙ୍କ ପରିବାର ସଦସ୍ୟ ରେଳବାଇରେ ଚାକିରି ବଦଳରେ ଲୋକଙ୍କଠାରୁ ଜମି ନେଇଥିବା ଅଭିଯୋଗ ହୋଇଛି। ଏହି ଜମିକୁ ଲାଲୁ ପରିବାରକୁ କମ୍ ମୂଲ୍ୟରେ ଉପହାର ଦିଆଯାଇଥିଲା କିମ୍ବା ବିକ୍ରି କରାଯାଇଥିଲା | ନିକଟରେ ସିବିଆଇ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ସିବିଆଇ ଏହାର ଚାର୍ଜସିଟରେ ଅଭିଯୋଗ କରିଛି ଯେ ରେଳବାଇର ଗ୍ରୁପ୍-ଡିରେ ନିଯୁକ୍ତି ପାଇଁ ଭାରତୀୟ ରେଳବାଇର ଧାର୍ଯ୍ୟ ନିୟମ ଏବଂ ପ୍ରକ୍ରିୟାକୁ ଉଲ୍ଲଂଘନ କରି ଲୋକଙ୍କ ନିଯୁକ୍ତି ଦିଆଯାଇଥିଲା।

ଏହି ମାମଲାରେ ଲାଲୁ ଓ ରାବଡୀଙ୍କୁ ସିବିଆଇ ଜେରା କରିସାରିଛି । ଅନ୍ୟପକ୍ଷରେ ଲାଲୁଙ୍କ‌ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ତୃତୀୟ ଥର ନୋଟିସ୍ ସତ୍ତ୍ୱେ ଜେରା ପାଇଁ ସିବିଆଇ ଆଗରେ ହାଜର ହୋଇନଥିଲେ। ସିବିଆଇ ଏହାକୁ ତଦନ୍ତରେ ଅସହଯୋଗ ଭାବେ ଦେଖୁଛି ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଗତ ମତାମତ ନେଉଥିବା ଜଣାପଡ଼ିଛି । ସୋମବାର ସିବିଆଇ ତୃତୀୟ ଥର ପାଇଁ ନୋଟିସ ପଠାଇ ତେଜସ୍ୱୀଙ୍କୁ ହାଜର ହେବାକୁ କହିଥିଲା । ସେ ମଙ୍ଗଳବାର ହାଜର ହେବାର ଥିଲା। କିନ୍ତୁ ସେ ଆସିନଥିଲେ।

ଏହାପୂର୍ବରୁ ମାର୍ଚ୍ଚ ୪ରେ ଓ ମାର୍ଚ୍ଚ ୧୧ରେ ସିବିଆଇ ତେଜସ୍ୱୀଙ୍କୁ ଡ଼କାଇଥିଲା ସିବିଆଇ । କିନ୍ତୁ ସେ ବ୍ୟସ୍ତ ଥିବା ଦର୍ଶାଇ ହାଜର ହୋଇନଥିଲେ।

Exit mobile version