Site icon ଆଜିକାଲି

କିମ୍ବଦନ୍ତୀ ଅଭିନେତା ଓ ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ଦେହାନ୍ତ

ହାଇଦ୍ରାବାଦ : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା କେ. ବିଶ୍ୱନାଥ ଆଉ ନାହାନ୍ତି। ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବୟସାଧିକ ଅସୁସ୍ଥତା ଯୋଗୁଁ ବିଶ୍ଵନାଥ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।

ଦାଦା ସାହେବ ଫାଲକେ ବିଜେତା ବିଶ୍ଵନାଥ ଅନେକ ତେଲେଗୁ ଓ ହିନ୍ଦି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସର୍ବକାଳୀନ ଲୋକପ୍ରିୟ ଓ ଶ୍ରେଷ୍ଠ ତେଲେଗୁ ଫିଲ୍ମ ମଧ୍ୟରେ ଅନ୍ୟତମ ‘ଶଙ୍କରାଭରଣମ’ର ସେ ଥିଲେ ନିର୍ଦ୍ଦେଶକ । ୧୯୮୦ରେ ରିଲିଜ ହୋଇଥିବା ଏହି ଫିଲ୍ମ ତେଲେଗୁ ଫିଲ୍ମକୁ ଦେଇଥିଲା ଏକ ନୂଆ ପରିଚୟ । ଜଣେ ଅଡିଓଗ୍ରାଫର ଭାବେ କ୍ୟାରିୟର ଆରମ୍ଭ କରିଥିବା ବିଶ୍ୱନାଥ ୫୦ରୁ ଅଧିକ ତେଲେଗୁ ଓ ହିନ୍ଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଶଙ୍କରାଭରଣମ ସମେତ ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଚର୍ଚ୍ଚିତ ଓ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ସ୍ୱାତୀ ମୁଥ୍ୟମ, ସପ୍ତପଦୀ, ସାଗର ସଙ୍ଗମମ୍, ସ୍ୱୟମକୃଷି, ସ୍ୱର୍ଣ୍ଣ କମଳମ ପ୍ରମୁଖ । ବିଶ୍ୱନାଥ ସରଗମ, କାମଚୋର, ଶୁଭକାମନା, ଜାଗ ଉଠା ଇନସାନ, ସଂଯୋଗ, ଈଶ୍ୱର, ସଂଗୀତ ଭଳି ହିନ୍ଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହାଛଡା ଅନେକ ଚଳଚ୍ଚିତ୍ରରେ ସେ ଅଭିନୟ ମଧ୍ୟ କରିଛନ୍ତି। ୨୦୧୬ରେ ତାଙ୍କୁ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Exit mobile version