Site icon ଆଜିକାଲି

ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ରିପୋର୍ଟ ପରେ ଏଲ୍ଆଇସିକୁ ବଡ଼ ଝଟକା, ଦୁଇ ଦିନରେ ୧୬,୬୦୦ କୋଟି କ୍ଷତି

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପର କ୍ଷତି ବଢ଼ିବାରେ ଲାଗିଛି । କମ୍ପାନୀର ସେୟାର ମୂଲ୍ୟର ନିମ୍ନଗାମୀ ଧାରା ଜାରି ରହିଛି । ଆମେରିକୀୟ ସଂସ୍ଥା ‘ହିଣ୍ଡନେବର୍ଗ ରିସର୍ଚ୍ଚ’ ଆଦାନୀ ଗ୍ରୁପ୍ ଉପରେ ଏକ ବଡ଼ ଖୁଲାସା କରିଥିଲା । ଆଦାନୀ ଗ୍ରୁପ୍ କର୍ପୋରେଟ ଦୁନିଆର ସବୁଠୁ ବଡ଼ ଠକେଇରେ ସମ୍ପୃକ୍ତ ବୋଲି ଏହି ସଂସ୍ଥା ନିଜର ଏକ‌ ଅନୁସନ୍ଧାନ ମୂଳକ ରିପୋର୍ଟରେ ଦାବି କରିଛି । ହିଣ୍ଡନେବର୍ଗ ରିସର୍ଚ୍ଚର ଏହି ଚାଞ୍ଚଲ୍ୟକର ଖୁଲାସା ଏପରି ଏକ ସମୟରେ ଆସିଛି ଯେତେବେଳେ ଆଦାନୀ ଗ୍ରୁପର ବୃହତ୍ତମ କମ୍ପାନୀ ‘ଆଦାନୀ ଏଣ୍ଟରପ୍ରାଇଜେସ୍’ ନିଜ ଏଫପିଓ ଲଞ୍ଚ୍ କରିବାକୁ ଯୋଜନା କରୁଥିଲା ।

ହିଣ୍ଡେନବର୍ଗ ରିପୋର୍ଟ ଯୋଗୁଁ ଆଦାନୀ ଗ୍ରୁପ୍‌ର ବଜାର ପୁଞ୍ଜି ଶୁକ୍ରବାର ଦିନକରେ ୩.୩୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ତେବେ ଏହି ରିପୋର୍ଟ ଯୋଗୁଁ ଭାରତୀୟ ଜୀବନ ବୀମା ନିଗମ ଅର୍ଥାତ୍ ଏଲ୍ଆଇସିକୁ ବହୁତ କ୍ଷତି ସହିବାକୁ ପଡ଼ିଛି । ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲ୍ଆଇସି ଏହି କାରଣରୁ ୧୬,୬୨୭ କୋଟି ଟଙ୍କା ହରାଇଛି । ଆଦାନୀ ଗ୍ରୁପ୍‌ର ବଡ଼ ପାଞ୍ଚ କମ୍ପାନୀରେ ଏଲ୍ଆଇସି ହେଉଛି ସର୍ବ ବୃହତ ଘରୋଇ (ନନ୍ ପ୍ରମୋଟର) ନିବେଶକ ।

ମାତ୍ର ଦୁଇ ଦିନ ମଧ୍ୟରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକରେ ଏଲ୍ଆଇସିର ନିବେଶ ମୂଲ୍ୟ ୨୨% ହ୍ରାସ ପାଇଛି | ଶୁକ୍ରବାର ଏହାର ମୂଲ୍ୟ ୭୨,୧୯୩ କୋଟି ଥିଲା କିନ୍ତୁ ମଙ୍ଗଳବାର (ଷ୍ଟକ୍ ମାର୍କେଟ ଶନିବାର ଏବଂ ରବିବାର ଦିନ ବନ୍ଦ) ଏହା ୫୫,୫୬୫ କୋଟି ଟଙ୍କାକୁ ଖସି ଆସିଛି। ଏହା ସହିତ ଶୁକ୍ରବାର ଦିନ ଏଲଆଇସି ସେୟାର ଗୁଡ଼ିକରେ ମଧ୍ୟ ୩.୫ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି। ଦୁଇ ଦିନ ମଧ୍ୟରେ ଏହାର ସେୟାର ୫.୩ ପ୍ରତିଶତ ହ୍ରାସ ପାଇଛି |

ହିଡେନବର୍ଗ ରିସର୍ଚ୍ଚ ହେଉଛି ନାଥନ ଆଣ୍ଡରସନ ନାମକ ଜଣେ ବ୍ୟବସାୟୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଆମେରିକୀୟ ନିବେଶ କମ୍ପାନୀ । ୨୦୧୭ରେ ପ୍ରତିଷ୍ଠିତ ଏହି କମ୍ପାନୀ ନିଜକୁ ଫରେନସିକ୍ ଫାଇନାନ୍ସିଆଲ୍ ରିସର୍ଚ୍ଚରେ ଏକ ସ୍ପେଶାଲିଷ୍ଟ ବୋଲି ଦାବି କରେ । ଏହି କମ୍ପାନୀ ଅତୀତରେ ଅନେକ ବଡ଼ କର୍ପୋରେଟ୍ ସଂସ୍ଥାରେ ଜାଲିଆତିର ପର୍ଦ୍ଦାଫାସ୍ କରିଛି ।

FacebookTwitterLinkedinWhatsapp
Exit mobile version