Site icon ଆଜିକାଲି

ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ, ଜୁନ‌ ୪ରେ ଫଳାଫଳ

ନୂଆଦିଲ୍ଲୀ: ବାଜିଲା ବିଗୁଲ୍। ଅପେକ୍ଷାର ଅନ୍ତ ଘଟାଇ ଲୋକସଭା ଏବଂ ଓଡ଼ିଶା ସହ ଚାରି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରିଛନ୍ତିି ନିର୍ବାଚନ କମିଶନ। ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ‌ ହେବ । ଜୁନ‌ ୪ରେ‌ ଫଳାଫଳ ଘୋଷଣା କରାଯିବ ।

ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବ । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ, ତୃତୀୟ ମେ ୭, ଚତୁର୍ଥ ମେ ୧୩, ପଞ୍ଚମ ମେ ୨୦, ଷଷ୍ଠ ପର୍ଯ୍ୟାୟ ମେ ୨୫ ଏବଂ ଜୁନ୍ ୧ରେ ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

ଏଥିସହ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଓଡ଼ିଶାର ୨୧ ଲୋକସଭା ଆସନ ସହ ୧୪୭ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ମତଦାନ ୪ଟି ପର୍ଯ୍ୟାୟରେ ଯଥାକ୍ରମେ ମେ ୧୩, ୨୦, ୨୫ ଓ ଜୁନ ୧ରେ ଅନୁଷ୍ଠିତ ହେବ । ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ଜୁନ‌ ୪ରେ ପ୍ରକାଶ ପାଇବ ।

ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଏପ୍ରିଲ ୧୯ରେ ହେବ । ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ମେ ୧୩ରେ ଅନୁଷ୍ଠିତ ହେବ । ଏହାଛଡ଼ା ଲୋକସଭା ନିର୍ବାଚନ ସଙ୍ଗରେ ବିଭିନ୍ନ ରାଜ୍ୟର ୨୨ଟି ବିଧାନସଭା ଆସନରେ ଉପନିର୍ବାଚନ ମଧ୍ୟ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

ଆଗାମୀ ଲୋକସଭା ନିର୍ବାଚନରେ ୯୭ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ ବୋଲି ଆକଳନ କରାଯାଇଛି। ପ୍ରାୟ ୧୦.୫ ଲକ୍ଷ ମତଦାନ ସ୍ଥାପନ କରାଯିବ ଓ ନିର୍ବାଚନ ପରିଚାଳନା ପାଇଁ ୧.୫ କୋଟି କର୍ମୀଙ୍କୁ ନିୟୋଜିତ କରାଯିବ । ନିର୍ବାଚନରେ ୫୫ ଲକ୍ଷ ଇଭିଏମ୍ ମେସିନ୍ ବ୍ୟବହାର କରାଯିବ। ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୭ କୋଟିକୁ ବୃଦ୍ଧି ପାଇଛି।
୨୦୨୪ ନିର୍ବାଚନରେ ପ୍ରାୟ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ମତଦାନ କରିବେ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ୮୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଘରେ ଭୋଟ ଦେବା ବ୍ୟବସ୍ଥା କରାଯିବ ।

ନିର୍ବାଚନରେ ବାହୁବଳ, ଅର୍ଥବଳର ବ୍ୟବହାର ଓ ବିଭ୍ରାନ୍ତିକର ସୂଚନା ପ୍ରସାରରୁ ନିବୃତ୍ତ ରହିବାକୁ ରାଜନୈତିକ ଦଳଙ୍କୁ ଚେତାବନୀ ଦେଇଛନ୍ତି କମିଶନ । ଏହାଛଡ଼ା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ କହିଛନ୍ତି।

Exit mobile version