Site icon ଆଜିକାଲି

ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ୧୨୦୦ରୁ ଅଧିକ ସ୍ମରଣୀୟ ସ୍ମୃତି ଏବଂ ଉପହାରର ଇ-ନିଲାମ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରଗୁଡିକର ଇ-ନିଲାମର ଚତୁର୍ଥ ସଂସ୍କରଣ ସଂସ୍କୃତି ମନ୍ତ୍ରଣାଳୟ ଆୟୋଜନ କରୁଛି, ଯାହା ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ଆଗାମୀ ନିଲାମ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ମଧ୍ୟ ସୂଚନା ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି, ୨୦୧୯ ରେ ଏହି ଜିନିଷଗୁଡ଼ିକ ଖୋଲା ଟେଣ୍ଡର ଦ୍ୱାରା ଲୋକଙ୍କ ପାଇଁ ନିଲାମ କରାଯାଇଥିଲା । ସେହି ସମୟରେ ୧୮୦୫ ଉପହାର ପ୍ରଥମ ରାଉଣ୍ଡରେ ନିଲାମରେ ରଖାଯାଇଥିଲା ଏବଂ ଦ୍ୱିତୀୟ ରାଉଣ୍ଡରେ ୨୭୭୨ ଉପହାର ସାମଗ୍ରୀ ନିଲାମରେ ରଖାଯାଇଥିଲା । ୨୦୨୧ ମସିହା ସେପ୍ଟେମ୍ବରରେ ମଧ୍ୟ ଇ-ନିଲାମର ଆୟୋଜନ କରାଯାଇଥିଲା ଏବଂ ନିଲାମରେ ଆମର ୧୩୪୮ ସାମଗ୍ରୀ ଥିଲା । ଏହି ବର୍ଷ ପ୍ରାୟ ୧୨୦୦ ଉପହାର ସାମଗ୍ରୀ ଇ-ନିଲାମରେ ରଖାଯାଇଛି । ନୂଆଦିଲ୍ଲୀର ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟରେ ଏହି ଉପହାରଗୁଡିକର ପ୍ରଦର୍ଶନ କରାଯାଇଛି । ଏହି ସାମଗ୍ରୀଗୁଡିକ ୱେବସାଇଟରେ ମଧ୍ୟ ଦେଖାଯାଇପାରିବ ।

Exit mobile version