Site icon ଆଜିକାଲି

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ମିଳିଲା Z ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କୁ ଯୋଗାଇ ଦିଆଯାଇଛି Z ପ୍ଲସ୍‌ ସୁରକ୍ଷା। ବର୍ତ୍ତମାନ Z ପ୍ଲସ୍‌ ସୁରକ୍ଷା ଦେଶର ବଛା ବଛା ଲୋକଙ୍କ ପାଖରେ ରହିଛି। ନୂଆ ସିଏମ୍‌ଙ୍କୁ ଏବେ ଏହି ବର୍ଗର ସୁରକ୍ଷା ମିଳିବା ପରେ ସେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବେ। ସିଏମ୍‌ଙ୍କ ସୁରକ୍ଷାରେ ସବୁବେଳେ ମୁତୟନ ରହିବେ ୩୬ ଜଣ ଯବାନ।

ସିଏମ୍ ମୋହନ ଯାଦବଙ୍କୁ ମିଳିଥିବା Z ପ୍ଲସ୍‌ ସୁରକ୍ଷା ଅଧୀନରେ ଦୁଇ ଜଣ ଏସ୍‌ପି, ଦୁଇ ଜଣ ଏଏସ୍‌ପି, ଚାରି ଜଣ ଡିଏସ୍‌ପି, ସ୍ୱତନ୍ତ୍ର ସୁରକ୍ଷା ବଳର ଯବାନ ଏବଂ ରାଜ୍ୟ ପୋଲିସର ସଶସ୍ତ୍ର ଯବାନ ନିୟୋଜିତ ରହିବେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡରେ ୧୪ରୁ ୧୭ଟି ଗାଡ଼ି ଅନ୍ତର୍ଭୁକ୍ତ ହେବ। ଏଥିରେ ଏକ ବୁଲେଟ୍ ପ୍ରୁଫ୍ କାର୍ ମଧ୍ୟ ସାମିଲ ହେବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଯାତ୍ରା କରିବେ।

ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଉଜ୍ଜୈନର ବାସିନ୍ଦା। ସେଠାରେ ତାଙ୍କର ବଙ୍ଗଳା ମଧ୍ୟ ଅଛି। ମୁଖ୍ୟମନ୍ତ୍ରୀ ହେବା ପରେ ଉଜ୍ଜୈନସ୍ଥିତ ଘରର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି। ଏଠାରେ ୨୪ ଘଣ୍ଟା ସୁରକ୍ଷା କର୍ମୀ ମୁତୟନ ରହିବେ। ସିଏମ୍‌ଙ୍କ ଅବଦାଲପୁରାସ୍ଥିତ ବଙ୍ଗଳାରେ ମେଟାଲ୍‌ ଡିଟେକ୍ଟର ମେସିନ୍ ଲଗାଇ ଦିଆଯାଇଛି। ତାଙ୍କ ବାସଭବନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କଡ଼ା ଯାଞ୍ଚ ପରେ ଘରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି।

Exit mobile version