Site icon ଆଜିକାଲି

‘ପଠାନ’ରେ ଦୀପିକାଙ୍କ ଗୈରିକ ବିକିନିକୁ ନେଇ ଆପତ୍ତି ଉଠାଇଲେ ମଧ୍ୟପ୍ରଦେଶ ମନ୍ତ୍ରୀ, ଫିଲ୍ମକୁ ବ୍ୟାନ୍ କରିବାକୁ ଦେଲେ ଚେତାବନୀ

ଭୋପାଳ: ରିଲିଜ୍ ହେବା ପୂର୍ବରୁ ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ବିବାଦ ଘେରକୁ ଆସିଛି । ଫିଲ୍ମର ଏକ ଗୀତ ସହ ଜଡ଼ିତ ଦୃଶ୍ୟ ଏବଂ ପୋଷାକକୁ ନେଇ ବିବାଦ ଉଠିଛି । ଏପରିକି ‘ପଠାନ’ କୁ ବ୍ୟାନ୍ କରିବା ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଚେତାବନୀ ଦେଇଛନ୍ତି ।‌

ଫିଲ୍ମର ଗୀତ ‘ବେସରମ ରଙ୍ଗ..’ରେ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନି ଏବଂ ଉତ୍ତେଜକ ପୋଜକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଆପତ୍ତି ଜଣାଇଛନ୍ତି। ସେ ଫିଲ୍ମ ନିର୍ମାତାଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଦୀପିକାଙ୍କ କଷ୍ଟ୍ୟୁମର ରଙ୍ଗ ଓ କିଛି ଦୃଶ୍ୟରେ ପରିବର୍ତ୍ତନ ନହୁଏ ତେବେ ସେ ଫିଲ୍ମକୁ ତାଙ୍କ ରାଜ୍ୟରେ ରିଲିଜ୍ କରିବାକୁ ଦେବେ ନାହିଁ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ନରୋତ୍ତମ ମିଶ୍ର କହିଛନ୍ତି, ‘ପଠାନ ଫିଲ୍ମର ଗୀତ (ବେସରମ ରଙ୍ଗ୍) ରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବେଶଭୂଷା ପ୍ରଥମରୁ ଅତ୍ୟନ୍ତ ଆପତ୍ତିଜନକ ମନେହୁଏ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏହି ଗୀତଟି ଏକ ଦୂଷିତ ମାନସିକତା ସହିତ ସୁଟିଂ କରାଯାଇଛି। ଏମିତିରେ ଦୀପିକା ଜେଏନୟୁର “ଟୁକଡେ ଟୁକଡେ ଗ୍ୟାଙ୍ଗ” ର ସମର୍ଥକ ରହିଛନ୍ତି … ତେଣୁ ମୁଁ ଆପଣଙ୍କୁ ଗୀତର ଦୃଶ୍ୟ ଏବଂ ପୋଷାକ ଠିକ୍ କରିବାକୁ ଅନୁରୋଧ କରିବି, ନଚେତ୍ ମଧ୍ୟପ୍ରଦେଶରେ ଏହି ଫିଲ୍ମର ରିଲିଜ୍ ପାଇଁ ଅନୁମତି ଦିଆଯାଇ ନ ପାରେ। ଏହା ବିଚାର୍ଯ୍ୟ ହେବ |

‘ବେସରମ ରଙ୍ଗ..’ ଗୀତର ଏକ ଦୃଶ୍ୟରେ ଦୀପିକା ଏକ ଗୈରିକ ରଙ୍ଗର ବିକିନି ପିନ୍ଧିଛନ୍ତି। ଦୀପିକାଙ୍କ ଉତ୍ତେଜକ କଷ୍ଟ୍ୟୁମ୍ ଓ ତାଙ୍କ ବିକିନିର ରଙ୍ଗକୁ ନେଇ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜ ମଧ୍ୟ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି, ଏହା ରଙ୍ଗ ଗେରୁଆ ଏବଂ ପଠାନ ଫିଲ୍ମରେ ଗୈରିକ ରଙ୍ଗକୁ ଅସମ୍ମାନ କରାଯାଇଛି। ଏହାକୁ ଭାରତ ବରଦାସ୍ତ କରିବ ନାହିଁ। ଉଲ୍ଲେଖଯୋଗ୍ୟ, ଫିଲ୍ମ ‘ପଠାନ୍’ ୨୫ ଜାନୁୟାରୀ ୨୦୨୩ରେ ରିଲିଜ୍ ହେବ |

Exit mobile version