Site icon ଆଜିକାଲି

ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ତିକ୍ତତା ! ଇସ୍ତଫା ଦେବାକୁ ସିନ୍ଦେଙ୍କ ପୁଅଙ୍କ ପ୍ରସ୍ତାବ

ମୁମ୍ବାଇ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ତିକ୍ତତା ଦେଖାଦେଇଛି । ଏହା ଏତେ ଚରମରେ ପହଞ୍ଚିଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା କଲ୍ୟାଣ ସାଂସଦ ଶ୍ରୀକାନ୍ତ ସିନ୍ଦେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଶ୍ରୀକାନ୍ତ ସିନ୍ଦେ କିଛି ବିଜେପି ନେତାଙ୍କୁ ଶିବସେନା-ବିଜେପି ମେଣ୍ଟକୁ ଦୁର୍ବଳ କରି ସ୍ୱାର୍ଥ କୈନ୍ଦ୍ରିକ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ବିଜେପି ନେତାମାନଙ୍କ ଏକ ବୈଠକରେ ଆଗାମୀ ଲୋକସଭା ନିର୍ବାଚନରେ ଏକନାଥ ସିନ୍ଦେଙ୍କ ଶିବସେନାକୁ ସମର୍ଥନ ନ କରିବାକୁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାର ଦିନକ ପରେ ସିନ୍ଦେଙ୍କ ପୁଅ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି । କଲ୍ୟାଣ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିର କ୍ୟାବିନେଟ ମନ୍ତ୍ରୀ ରବିନ୍ଦ୍ର ଚଭନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ଉକ୍ତ ପ୍ରସ୍ତାବ ଗୃହୀତ ହୋଇଥିଲା।

ମହାରାଷ୍ଟ୍ରରେ ମେଣ୍ଟ ସରକାର ଚଳାଉଥିବା ଦୁଇ ଦଳ ମଧ୍ୟରେ ମତଭେଦର କାରଣ ହେଉଛି ବିଜେପିର ଡୋମ୍ବିଭଲି ପୂର୍ବ ମଣ୍ଡଳର ସଭାପତି ନନ୍ଦୁ ଯୋଶୀଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଅସଦାଚରଣ ମାମଲା। ଏଥିପାଇଁ ସ୍ଥାନୀୟ ବିଜେପି ନେତାମାନେ ସିନ୍ଦେଙ୍କ ଶିବସେନାକୁ ଦାୟୀ କରିଥିଲେ । ଏହା ପୂର୍ବରୁ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସ୍ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଏକ ମିଳିତ ବିବୃତ୍ତି ଜାରି କରିଥିଲେ । ପୌର, ବିଧାନସଭା ଏବଂ ଲୋକସଭା ନିର୍ବାଚନ ସହ ମହାରାଷ୍ଟ୍ରରେ ହେବାକୁ ଥିବା ସବୁ ନିର୍ବାଚନରେ ବିଜେପି ଓ ଶିବସେନା ଏକାଠି ଲଢ଼ିବେ ବୋଲି ଉଭୟ ନେତା କହିଥିଲେ ।

ବିଜେପି ସହ ମତଭେଦ ମଧ୍ୟରେ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି, “ଡୋମ୍ବିଭାଲିର କିଛି ନେତା ନିଜର ସ୍ୱାର୍ଥ ପାଇଁ ମେଣ୍ଟ (ବିଜେପି-ସିନ୍ଦେ ଗୋଷ୍ଠୀ) ପାଇଁ ବାଧା ସୃଷ୍ଟି କରୁଛନ୍ତି। ମୁଁ କୌଣସି ପଦ ପାଇଁ ଲାଳାୟିତ ନୁହେଁ | ବିଜେପି-ଶିବସେନାର ବରିଷ୍ଠ ନେତୃତ୍ୱ ଯାହାକୁ ବି ପ୍ରାର୍ଥୀ କରିବେ, ମୁଁ ତାଙ୍କୁ ସମର୍ଥନ କରିବି। ଆମର ଉଦ୍ଦେଶ୍ୟ ହେଉଛି ପୁଣିଥରେ ବିଜେପି-ଶିବସେନା ସରକାର ଗଠନ କରିବା ଏବଂ କେନ୍ଦ୍ରରେ ବିଜେପି ସହିତ ସରକାର ଗଢ଼ିବା। ଆମେ ଏହି ଦିଗରେ କାମ କରୁଛୁ । ଯଦି କେହି ଏହାକୁ ବିରୋଧ କରନ୍ତି ଅବା କେହି ଅସନ୍ତୁଷ୍ଟ ଅଛନ୍ତି ଓ ମେଣ୍ଟ ସରକାରରେ ବିଶୃଙ୍ଖଳା ସୃଷ୍ଟି କରନ୍ତି ତେବେ ମୁଁ ମୋ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ |

Exit mobile version