Site icon ଆଜିକାଲି

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ

ନୂଆଦିଲ୍ଲୀ : ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ରବିବାର ୫ ଦିନିଆ ଭାରତ ଗସ୍ତରେ ଆସି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି । ତାଙ୍କ ସହ ପତ୍ନୀ ସଜିଧା ମହମ୍ମଦ ଏବଂ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ମଧ୍ୟ ଆସିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ଏକ ସ୍ୱତନ୍ତ୍ର ବିମାନ ଯୋଗେ ମୁଇଜ୍ଜୁ ଯାତ୍ରା କରିଥିଲେ । ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଭାରତକୁ ଏହା ତାଙ୍କର ପ୍ରଥମ ସରକାରୀ ଗସ୍ତ। ସେ ୧୦ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ସେ ବିଭିନ୍ନ ଦ୍ୱିପାକ୍ଷିକ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବେ ।

ରବିବାର ଅପରାହ୍ନରେ ମୁଇଜ୍ଜୁ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସନ୍ଧ୍ୟାରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଜୟଶଙ୍କର ସୋସିଆଲ ମିଡିଆରେ ଏ ନେଇ ଏକ ପୋଷ୍ଟ କରି ଲେଖିଥିଲେ, ଆଜି ରାଷ୍ଟ୍ରପତି ମୁଇଜ୍ଜୁଙ୍କ ଭାରତ ଗସ୍ତ ଆରମ୍ଭ ହୋଇଥିବା ବେଳେ ତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି । ଦ୍ୱିପାକ୍ଷିକ ସମ୍ପର୍କକୁ ବଢ଼ାଇବା ପାଇଁ ତାଙ୍କ ପ୍ରତିଶ୍ରୁତିବଦ୍ଧତାକୁ ପ୍ରଶଂସା କରୁଛି। ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ହେବାକୁ ଥିବା ଆଲୋଚନା ଦ୍ୱିପାକ୍ଷିକ ସମ୍ପର୍କରେ ନୂଆ ଉତ୍ସାହ ଭରିବା ନେଇ ଆଶା ।

ଉଲ୍ଲେଖଯୋଗ୍ୟ, ମୁଇଜ୍ଜୁ ଚଳିତବର୍ଷ ଜୁନ୍‌ରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ଆସିଥିଲେ । ଏହି ସମୟରେ ଉଭୟ ନେତା ଭାରତ ଓ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ମୁଇଜ୍ଜୁ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ । ସେ ଚୀନ୍‌କୁ ପ୍ରାଥମିକତା ଦେଇଥିଲେ । ସବୁଠୁ ବଡ଼ କଥା ହେଉଛି ମାଳଦ୍ୱୀପରେ ନୂଆ ରାଷ୍ଟ୍ରପତି ଶପଥ ନେବା ପରେ ପ୍ରଥମେ ଭାରତ ଗସ୍ତ କରିଥାନ୍ତି । କିନ୍ତୁ ମୁଇଜ୍ଜୁ ସେହି ପରମ୍ପରା ଭାଙ୍ଗି ତୁର୍କୀ ଓ ଚୀନ୍‌ ଯାଇଥିଲେ । ହେଲେ ଭାରତ ଏଥିରେ କୌଣସି ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ନ କରି ସୁସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ କରିଥିଲା ।

Exit mobile version