Site icon ଆଜିକାଲି

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ଗୁଜୁରାଟରୁ ପ୍ରଚାର ଆରମ୍ଭ କରିବେ ମଲ୍ଲିକାର୍ଜୁନ ଖଡ୍‌ଗେ

ଗାନ୍ଧୀନଗର : ଅକ୍ଟୋବର ୧୭ରେ ଅନୁଷ୍ଠିତ ହେବ କଂଗ୍ରେସ ସଭାପତି ନିର୍ବାଚନ । ୧୯ ତାରିଖରେ ପ୍ରକାଶ ପାଇବ ଫଳାଫଳ । ଦୀର୍ଘ ୨୫ ବର୍ଷ ପରେ ଦେଶର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ସଭାପତି । ଏବେ ସାଂସଦ ଶଶି ଥରୁର ଏବଂ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି ଗୁଜୁରାଟରୁ ଖଡ୍‌ଗେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି । ଗୁଜୁରାଟର କଂଗ୍ରେସ ନେତାଙ୍କ ଠାରୁ ସେ ସମର୍ଥନ ଲୋଡିବେ । ଏଥିପାଇଁ ଖଡ୍‌ଗେ ଗୁରୁବାର ରାତିରେ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ପୂର୍ବରୁ ଶଶି ଥରୁର ମହାରାଷ୍ଟ୍ରର ନାଗପୁରର ପ୍ରଚାର ଆରମ୍ଭ କରିସାରିଛନ୍ତି ।

ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ୍‌ଗେ ପ୍ରଥମେ ଗୁଜୁରାଟ ସ୍ଥିତ ସାବରମତି ଆଶ୍ରମ ପରିଦର୍ଶନ କରିବେ । ଏହାପରେ ଅହମ୍ମଦାବାଦ ସ୍ଥିତ ପ୍ରଦେଶ କଂଗ୍ରେସ କମିଟି ଅଫିସକୁ ଯିବେ । ସେଠାରେ ସେ ସାମ୍ବାଦିକ ସମ୍ମିଳନୀ କରିବେ । ତେବେ ସଭାପତି ପଦ ପାଇଁ ଖଡ୍‌ଗେଙ୍କ ବିପକ୍ଷରେ ସାଂସଦ ଶଶି ଥରୁର ନିର୍ବାଚନ ଲଢୁଛନ୍ତି । ଉଭୟ ପ୍ରାର୍ଥୀଙ୍କ ପ୍ରତି ଗାନ୍ଧୀ ପରିବାରର ସମର୍ଥନ ରହିଥିବା କହୁଯାଉଛି ।

Exit mobile version