Site icon ଆଜିକାଲି

ନୂଆଦିଲ୍ଲୀ :ଏୟାର ଇଣ୍ଡିଆ ବିମାନରେ ଜଣେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା । ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ । ମୁମ୍ବାଇ ନିବାସୀ ଶଙ୍କର ମିଶ୍ରଙ୍କୁ ବାଙ୍ଗାଲୋରରୁ ଗିରଫ କରାଯାଇଥିବା ଜଣାପଡିଛି ।

ଗତ ବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜିନେସ୍ ଶ୍ରେଣୀରେ ଯାତ୍ରା କରୁଥିବା ଜଣେ ୭୦ ବର୍ଷୀୟା ମହିଳା ଯାତ୍ରୀଙ୍କ ଉପରେ ମିଶ୍ର ନିଶାସକ୍ତ ଅବସ୍ଥାରେ ପରିସ୍ରା କରିଥିଲେ। ଏହି ଅଭଦ୍ର ଓ ଲଜ୍ଜାଜନକ ଘଟଣା ପରେ ଶଙ୍କର ମିଶ୍ରଙ୍କୁ ବିମାନ କର୍ତ୍ତୃପକ୍ଷ ବିନା କୌଣସି କାର୍ଯ୍ୟାନୁଷ୍ଠାନରେ ଛାଡ଼ି ଦେଇଥିଲେ । ମହିଳା ଜଣକ ଟାଟା ଗ୍ରୁପର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନଙ୍କୁ ଚିଠି ଲେଖିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏୟାର ଇଣ୍ଡିଆ ଶଙ୍କର ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଓ ତାଙ୍କ ଉପରେ ୩୦ ଦିନ ଯାତ୍ରା କଟକଣା ଲଗାଇଥିଲା । ଅନ୍ୟପକ୍ଷରେ ଏହି ଘଟଣା ପରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ତାଙ୍କ କମ୍ପାନୀ ଚାକିରିରୁ ମଧ୍ୟ ବରଖାସ୍ତ କରିଛି । ସେ ଏକ ଆମେରିକୀୟ ବହୁରାଷ୍ଟ୍ରୀୟ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ ।

ଏହି ଘଟଣାକୁ ନେଇ ଶଙ୍କର ମିଶ୍ରା ତାଙ୍କ ଓକିଲଙ୍କ ଜରିଆରେ ଗତକାଲି ଏକ ବିବୃତ୍ତି ଜାରି କରି କରିଥିଲେ । ସେ କହିଥିଲେ ଯେ ନଭେମ୍ବର ୨୮ରେ ମହିଳାଙ୍କ ପୋଷାକ ଓ ବ୍ୟାଗ ଧୋଇ ନଭେମ୍ବର ୩୦ ରେ ତାଙ୍କ ନିକଟକୁ ଫେରାଇ ଦେଇଥିଲେ। ଏହାଛଡ଼ା ସେ ମହିଳାଙ୍କୁ ୧୫ ହଜାର ଟଙ୍କା କ୍ଷତିପୂରଣ ଦେଇଥିଲେ ଓ କ୍ଷମା ପ୍ରାର୍ଥନା କରିଥିଲେ । ମହିଳା ତାଙ୍କ ବିରୋଧରେ ପୋଲିସ କେସ୍ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମହିଳାଙ୍କ ସହ ହୋଇଥିବା ହ୍ବାଟସଆପ୍ ଚାଟ୍ ମଧ୍ୟ ଅଭିଯୁକ୍ତ ଜାରି କରିଥିଲେ ।

Exit mobile version