Site icon ଆଜିକାଲି

ବିମାନ ପରେ ଏବେ ବସ୍‌ରେ ପରିସ୍ରାକାଣ୍ଡ, ମହିଳା ଯାତ୍ରୀଙ୍କ ସିଟରେ ପରିସ୍ରା କଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ: କର୍ଣ୍ଣାଟକର ଏକ ସରକାରୀ ବସ୍‌ରେ ଏୟାର ଇଣ୍ଡିଆ ପରିସ୍ରାକାଣ୍ଡ ଭଳି ଘଟଣା ସାମ୍ନାକୁ ଆସିଛି । ଯାତ୍ରା ସମୟରେ କର୍ଣ୍ଣାଟକ ସଡ଼କ ପରିବହନ ନିଗମ (କେଏସଆରଟିସି) ବସ୍‌ରେ ଜଣେ ମହିଳା ସହଯାତ୍ରୀଙ୍କ ସିଟରେ ଜଣେ ମଦ୍ୟପ ବ୍ୟକ୍ତି ପରିସ୍ରା କରିଦେଇଥିଲେ।

ଅଭିଯୁକ୍ତ ଯାତ୍ରୀ ଜଣେ ୩୨ ବର୍ଷୀୟ ମେକାନିକାଲ୍ ଇଞ୍ଜିନିୟର ବୋଲି ଜଣାପଡ଼ିଛି । ଫେବୃଆରୀ ୨୧ରେ ବିଜୟପୁରାରୁ ମାଙ୍ଗାଲୁରୁ ଯାଉଥିବା ଏକ ନନ୍ ସ୍ଲିପର ବସ୍‌ରେ ସେ ଏପରି ଅଶୋଭନୀୟ କାର୍ଯ୍ୟ କରିଥିଲେ | ବସ୍‌ରେ ପରିସ୍ରା କରିବା ପରେ ଅଭିଯୁକ୍ତ ଅନ୍ୟ ସହଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ । ସେ ତାଙ୍କର ନାଁ ଓ ଠିକଣା ବିଷୟରେ କିଛି କହିନଥିଲେ। ଅନ୍ୟପକ୍ଷରେ ମହିଳା ଯାତ୍ରୀ ଅଭିଯୋଗ କରିବାକୁ ମନା କରିବାରୁ ବସ୍ ଏହାର ନିର୍ଦ୍ଧାରିତ ଯାତ୍ରା ଜାରି ରଖିଥିଲା ​​|

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ରାତ୍ରି ଭୋଜନ ପାଇଁ ହୁବଲି ସହର ନିକଟସ୍ଥ କିରେସୁରରେ ଏକ ଢ଼ାବା ପାଖରେ ବସ୍ ଅଟକିଥିଲା । ସବୁ ଯାତ୍ରୀ ଓହ୍ଲାଇଥିଲେ । ବସ୍ ଖାଲି ଥିବା ବେଳେ ଅଭିଯୁକ୍ତ ଜଣେ ମହିଳାଙ୍କ ସିଟରେ ପରିସ୍ରା କରିଥିଲେ | ମହିଳା ଜଣକ ଫେରିବା ବେଳକୁ ଅଭିଯୁକ୍ତ ତାଙ୍କ ସିଟରେ ପରିସ୍ରା କରୁଥିବା ଦେଖି ପାଟି କରିଥିଲେ । ମହିଳାଙ୍କ ପାଟି ଶୁଣି ଅନ୍ୟ ସହଯାତ୍ରୀ ଓ ବସର ଡ୍ରାଇଭର ଏବଂ କଣ୍ଡକ୍ଟର ଆସି ଅଭିଯୁକ୍ତକୁ ଧରି ତା’ର ପରିଚୟ ପଚାରିଥିଲେ । ହେଲେ ସେ ନିଶାସକ୍ତ ଅବସ୍ଥାରେ ଥିଲା ଓ କିଛି କହିନଥିଲେ । ପରେ ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦିଆଯାଇଥିଲା । ଘଟଣା ବେଳେ ବସ୍‌ରେ କେବଳ ଅଭିଯୁକ୍ତ ବ୍ୟକ୍ତି ଜଣକ ଥିଲେ । ମହିଳାଙ୍କ ଆସନ ସଙ୍ଗେ ସଙ୍ଗେ ସଫା କରାଯାଇଥିଲା । ଏଥିରେ ଅନ୍ୟ ସହଯାତ୍ରୀ ମଧ୍ୟ ସହଯୋଗ କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ସୂଚନା ଯେ, ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ବିଜିନେସ୍ କ୍ଲାସରେ ଯାତ୍ରା କରୁଥିବା ଜଣେ ବୟସ୍କା ମହିଳାଙ୍କ ଉପରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ପରିସ୍ରା କରିଥିଲେ । ଦୁଇ ମାସ ପରେ ଉକ୍ତ ଘଟଣା ସାମ୍ନାକୁ ଆସିଥିଲା ଓ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ‌।

Exit mobile version